CrimeFeaturedLatestNews

ବନ୍ଧା ହେଲେ ବରଗଡ଼ ଜିଲ୍ଲା ଡିଇଓ ଏବଂ ସଦର ବିଇଓ

ବରଗଡ଼ (ସଂକେତ ଟିଭି): ବରଗଡ଼ ପୋଲିସ ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମୋଟ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ: ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତି ସାହୁ, ସଦର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ସୁରେନ୍ଦ୍ର ସାହୁ ଏବଂ ସତଲମା ସ୍କୁଲର ଖେଳ ଶିକ୍ଷକ ସମୀର ପାଣିଗ୍ରାହୀ।

ଖବର ଅନୁଯାୟୀ, ବରଗଡ଼ ପୌରାଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା। ସଦର ବିଇଓ ନିଜ କାର୍ଯ୍ୟାଳୟକୁ ଡାକି ସେହି ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଏନେଇ ପୀଡ଼ିତା ମହିଳା ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଏଫଆଇଆର୍ ଆଧାରରେ ପୋଲିସ ବୁଧବାର ଅପରାହ୍ଣରେ ଦୁଇ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ଦୀର୍ଘ ସମୟ ଧରି ଜେରା କରିବା ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ପରେ ପୋଲିସ ଗୁରୁବାର ଦିନ ସମସ୍ତଙ୍କୁ କୋର୍ଟ ଚାଲାଣ କରିବ। ସୂଚନାନୁଯାୟୀ, ସମ୍ପୃକ୍ତ ସିଆରସିସି ଜଣକ ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ପ୍ରଶାସନିକ ସ୍ତରରେ ମଧ୍ୟ ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି।