ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ : ଶାସକ ବିଜେପି ସରକାରକୁ ଟାର୍ଗେଟ କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସକ ବିଜେପି ସରକାରଙ୍କୁ ପ୍ରଖର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମହିଳାଙ୍କୁ ‘ଅଧିକାର’ ନାଁ ନେଇ ବିଜେପି ବୋକା ବନେଇ ପାରିବ ନାହିଁ। ମୁଁ ଥିବା ଯାଏଁ କେହି ଓଡ଼ିଶାର ହକ୍ ଛଡ଼ାଇ ପାରିବେ ନାହିଁ।”
ନବୀନ ଅଭିଯୋଗ କରି କହିଲେ, “ବିଜେପି ସରକାରରେ ଓଡ଼ିଶାର ମହିଳାଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣେ ମୃତ ମହିଳାଙ୍କ ପରିବାରକୁ ବ୍ୟାଙ୍କରେ ପ୍ରମାଣ ପାଇଁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା। ଭାଇ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ତାଙ୍କୁ ହଇରାଣ କରାଗଲା। ଶେଷରେ କଙ୍କାଳ କାନ୍ଧରେ ବୋହି ଆଣିବାକୁ ପଡ଼ିଲା। ଏହା ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଓ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା।”
ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ, “କେନ୍ଦୁଝରର ଏହି ଘଟଣାକୁ ନେଇ ଆଜି ବିବିସି (BBC) ଓ ନ୍ୟୁୟର୍କ ପୋଷ୍ଟ (New York Post) ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚାରେ ରହିଛି। ମହିଳା ସଶକ୍ତୀକରଣ ନାଁରେ ବିଜେପି କେବଳ ପ୍ରଚାର କରୁଛି। ସରକାର ‘ନାରେଟିଭ’ ଓ ‘ଅପ୍ଟିକ୍ସ’ରେ ବ୍ୟସ୍ତ ରହି ପ୍ରକୃତ ସେବା ଭୁଲିଯାଇଛନ୍ତି।”
ନବୀନ ପଟ୍ଟନାୟକ ସ୍ପଷ୍ଟ କରିଦେଲେ ଯେ ବିଜେଡି ଡିଲିମିଟେସନ (ସୀମା ନିର୍ଦ୍ଧାରଣ) ବିଲକୁ ସମର୍ଥନ କରିବ ନାହିଁ। ସେ କହିଲେ, “ମହିଳା ବିଲ ଆଳରେ ସୀମା ନିର୍ଦ୍ଧାରଣକୁ ଲଦି ଦେବା ସରକାରଙ୍କର ଏକ ଗୋପନୀୟ ଚକ୍ରାନ୍ତ। ଏହା ଓଡ଼ିଶାର ସଂସଦୀୟ ସୀମା ବଦଳାଇ ଆମର ରାଜନୈତିକ ଅଧିକାର କ୍ଷୁଣ୍ଣ କରିବ। ଆଗାମୀ ପିଢ଼ି ଆମକୁ କ୍ଷମା କରିବ ନାହିଁ।”
ନବୀନ ଗର୍ବର ସହ ସ୍ମରଣ କରାଇଲେ ଯେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ପଞ୍ଚାୟତିରାଜରେ ୩୩% ମହିଳା ସଂରକ୍ଷଣ ଦେବାରେ ପ୍ରଥମ ରାଜ୍ୟ ଥିଲା। ୨୦୧୧ରେ ବିଜେଡି ସରକାର ଏହାକୁ ୫୦%କୁ ବୃଦ୍ଧି କରିଥିଲେ। ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ବିଜେଡି ୩୩% ଟିକେଟ୍ ମହିଳାଙ୍କୁ ଦେଇଥିଲା, ଯାହା ବିଜେପି କରିପାରି ନାହିଁ।
“ମହିଳାଙ୍କ ଅଧିକାର ପାଇଁ କେବଳ ମୁହଁରେ ବଡ଼ ବଡ଼ କଥା କହି ମିଛ ଅପପ୍ରଚାର କରୁଛି ବିଜେପି। ହେଲେ ସବୁବେଳେ ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ। ଓଡ଼ିଶାର ବିଜେପି MLAମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ।”
ଶେଷରେ ସେ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି, “ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି, ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାକୁ ତା’ର ହକରୁ କେହି ବଞ୍ଚିତ କରିପାରିବେ ନାହିଁ।”
