ବାଲେଶ୍ୱରରେ ନିର୍ମିତ ହେବ ଏଟ୍ମୋସ୍ଫିରିକ ସ୍ପେସ ରିସର୍ଚ ଫେସିଲିଟି
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱରରେ ନିର୍ମିତ ହେବ ଅତ୍ୟାଧୁନିକ ASRF (Atmospheric Space Research Facility)। ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସର୍କିଟ ହାଉସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଡିଆରଡିଓ ଦ୍ୱାରା ବିନା ପ୍ରିମିୟମରେ ଏହି ପ୍ରକଳ୍ପ ପାଇଁ ଜମି ଅନୁମୋଦନ ହୋଇଛି। ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଡିଆରଡିଓ ଅଧୀନରେ ଥିବା ପ୍ରାୟ ୧୯.୨୫ ଏକର ପ୍ରତିରକ୍ଷା ଜମିକୁ ଇସ୍ରୋକୁ ଲିଜ୍ରେ ପ୍ରଦାନ କରାଯାଇଛି। ଏଥିପାଇଁ ବାର୍ଷିକ ମାତ୍ର ୧ ଟଙ୍କା ନାମମାତ୍ର ଲିଜ୍ ଭଡ଼ା ଧାର୍ଯ୍ୟ କରାଯାଇଛି।
ଏହି ଲିଜ୍ ପ୍ରାରମ୍ଭିକ ୩୦ ବର୍ଷ ପାଇଁ ଏବଂ ପରେ ୩୦ ବର୍ଷ ଲେଖାଏଁ ଦୁଇଥର ସମୁଦାୟ ୯୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ପ୍ରମାଣଭିତ୍ତିକ ଗବେଷଣା ତଥ୍ୟ ସଂଗ୍ରହ, ଜ୍ଞାନ ବିନିମୟ ଏବଂ ବୈଜ୍ଞାନିକ ସହଯୋଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ଦେଶର ଗବେଷଣା କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ସାଂସଦ ଶ୍ରୀ ଯୁକ୍ତ ଷଡ଼ଙ୍ଗୀ କହିଛନ୍ତି।
ଏହି ପ୍ରକଳ୍ପ ଉପକୂଳ ଅଞ୍ଚଳର ଜନଜୀବନ ଓ ପରିବେଶ ସୁରକ୍ଷା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ମହାକାଶରେ ଉପଗ୍ରହ ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ସହାୟକ ହେବ। ଭୁବିଜ୍ଞାନ, ଡିଆରଡିଓ ଓ ଇସ୍ରୋର ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ଏଭଳି ମହତ୍ତ୍ୱାକାଙ୍କ୍ଷୀ ପ୍ରକଳ୍ପକୁ ସମର୍ଥନ ଓ ପ୍ରୋତ୍ସାହନ ପ୍ରଦାନ କରିଥିବାରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କୁମାର ସିଂହଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ଇଂ ବିଭୂପଦ୍ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ମଞ୍ଚ ସଞ୍ଚାଳନ କରିଥିଲେ। ଏଥିରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଉପସ୍ଥିତ ଥିଲେ।
