ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ନିଟ୍ ୟୁଜି ପରୀକ୍ଷା ରଦ୍ଦ
ନୂଆଦିଲ୍ଲୀ(ସଂକେତ ଟିଭି): NEET UG ପରୀକ୍ଷା ରଦ୍ଦ ହୋଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ NTA ପକ୍ଷରୁ ପରୀକ୍ଷା ରଦ୍ଦ ନେଇ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ମଞ୍ଜୁରୀ ପରେ NTA ଏପରି ଏକ ବଡ଼ ନିଷ୍ପତ୍ତି ନେଇଛି। ପୁନଃ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ନୂତନ ପରୀକ୍ଷା ତାରିଖ ନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’ ୩ ତାରିଖରେ ସମଗ୍ର ଦେଶରେ NEET UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଏହି ମାମଲା ବିଷୟରେ ସଠିକ ଯାଞ୍ଚ ପାଇଁ ଭାରତ ସରକାର ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ରାଜସ୍ଥାନରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଥିଲା। ଏନେଇ ରାଜସ୍ଥାନ ସ୍ପେଶାଲ ଅପରେସନ ଗ୍ରୁପ (SOG) ଯାଞ୍ଚ ଆରମ୍ଭ କରିଛି। ପୂର୍ବରୁ ପ୍ରାକ୍ଟିସ୍ ପେପରରେ ଥିବା କିଛି ପ୍ରଶ୍ନ ପରୀକ୍ଷାରେ ଆସିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ SOG ଗଭୀର ଭାବେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି।
NTA ଏହି ମାମଲାରେ କହିଛନ୍ତି, “ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NEET (UG) ୨୦୨୬ ସମ୍ପର୍କୀତ ଅନିୟମିତତା ବିଷୟରେ ରାଜସ୍ଥାନ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଷୟରେ ଅବଗତ। ପରୀକ୍ଷା ୩ ମେ, ୨୦୨୬ ରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ କରାଯାଇଥିଲା।”
SOG ଏଡିଜି ବିଶାଲ ବଂସଲ କହିଥିଲେ ଯେ, NEET ପରୀକ୍ଷାକୁ ନେଇ ଅନେକ ଭ୍ରାନ୍ତ ଧାରଣା ଶୁଣିବାକୁ ମିଳୁଛି। ଏକ ଅଭ୍ୟାସ ମୂଳକ ପତ୍ରରେ ୪୧୦ଟି ପ୍ରଶ୍ନ ରହିଛି, ଯେଉଁଥିରୁ ୧୨୦ଟି ପ୍ରଶ୍ନ ଆସିଥିବାର ଅଭିଯୋଗ ହେଉଛି। ଏହାକୁ ନେଇ କୌଣସି ପରୀକ୍ଷାର୍ଥୀ ପରୀକ୍ଷାରେ ହେରଫେର କରିଛନ୍ତି କି ନାହିଁ SOG ଏହାର ଯାଞ୍ଚ ଆରମ୍ଭ କରିଛି।
ସାରା ଦେଶରେ NEET UG ୨୦୨୬ ପରୀକ୍ଷା ପାଇଁ ୨୨,୭୯,୭୪୩ ଜଣ ଆଶାୟୀ ଆବେଦନ କରିଥିଲେ। ଅପରାହ୍ନ ୨ଟାରୁ ପରୀକ୍ଷା ବିଭିନ୍ନ ସେଣ୍ଟରରେ ଆରମ୍ଭ ହୋଇଥିଲା। ପରୀକ୍ଷାର୍ଥୀ ପେନ୍ ଓ ପେପର ମୋଡରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଶାୟୀ ଛାତ୍ରଛାତ୍ରୀ NEET UG ପରୀକ୍ଷା ଦେଇଥାନ୍ତି।
