FeaturedGeneralLatestPolitics

ଆସାମରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା

ଗୌହାଟୀ (ସଂକେତ ଟିଭି): ଦ୍ବିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଖାନାପଡ଼ା ଭେଟେନାରୀ କଲେଜ ଗ୍ରାଉଣ୍ଡରେ ହିମନ୍ତଙ୍କ ଶପଥ ଗ୍ରହଣ ସମାରୋହ ଚାଲିଛି। ଆସାମରେ ଲଗାତାର ଏନଡିଏ ନେତୃତ୍ବାଧୀନ ତୃତୀୟ ସରକାର ଗଠନ ହୋଇଛି।

ହିମନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଏନଡିଏ ନେତୃତ୍ବାଧୀନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି।

ଉତ୍ତର ପୂର୍ବର ବିଜେପିର ଜଣେ ପୁରୁଖା ନେତା ଭାବେ ହିମନ୍ତଙ୍କୁ ହଜାର ହଜାର ଦଳୀୟ କର୍ମୀ ଓ ନେତାଙ୍କ ସମର୍ଥନ ରହିଛି। ଆଜିର ଶପଥ ଗ୍ରହଣ ସମାରୋହରେ ସମଗ୍ର ଆସାମରୁ କର୍ମୀ ଓ ନେତା ଯୋଗ ଦେଇଛନ୍ତି। ଶପଥ ଗ୍ରହଣ ସମାରୋହ ପରେ ନୂଆ ସରକାର ପ୍ରଥମ କ୍ୟାବିନେଟ ବୈଠକ କରିବେ। ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଏବଂ ବିକାଶ ଏଜେଣ୍ଡା ସରକାରଙ୍କ ନୂତନ କାର୍ଯ୍ୟକାଳରେ ସର୍ବୋଚ୍ଚ ପ୍ରାଥମିକତା ରହିବ।

ସୋସିଆଲ ମିଡିଆ ଏକ୍ସରେ ହିମନ୍ତ ବିଶ୍ବଶର୍ମା ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଓ ବାଚସ୍ପତିଙ୍କ ନାମ ପୋଷ୍ଟ କରିଛନ୍ତି। ସେ ପୋଷ୍ଟ କରିଛନ୍ତି ଯେ, ‘‘ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୋ ସହ ଆଉ ୪ ଜଣ ଶପଥ ନେବେ। ମୁଁ ଅତ୍ୟନ୍ତ ଖୁସିର ସହ ସେମାନଙ୍କ ନାଁ ଘୋଷଣା କରିବି। ମୋ ସହ ରାମେଶ୍ବର ତେଲି, ଅତୁଲ ବୋରା, ଚରଣ ବୋରୋ ଓ ଅଜନ୍ତା ନିଓଗ ଶପଥ ଗ୍ରହଣ ଉତ୍ସବରେ ଶପଥ ନେବେ। ସେହିପରି ବରିଷ୍ଠ ବିଜେପି ନେତା ତଥା ବିଧାୟକ ରଞ୍ଜିତ ଦାସ ବାଚସ୍ପତି ଭାବେ ଶପଥ ନେବେ।’’

ସେ ଆହୁରି କହିଛନ୍ତି, ‘‘ମୁଁ ହୃଦୟରୁ ସେମାନଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛି। ଆମେ ଏକାଠି ସଶକ୍ତ, ବିକଶିତ ଓ ସମୃଦ୍ଧ ଆସାମ ପାଇଁ ସମର୍ପିତ ହୋଇ କାମ କରିବୁ। ନୂତନ ଦଳ ଏକ ସମୃଦ୍ଧ ଆସାମ ଗଠନ ପାଇଁ ପୂର୍ଣ୍ଣ ସମର୍ପିତ।’’

ଗତ ମେ’ ୨ ତାରିଖରେ ଆସାମ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି ୮୨ଟି ଆସନରେ ବାଜିମାତ କରିଥିଲା। ଏଥିରେ କଂଗ୍ରେସ ୧୯ ଆସନରେ ଜିତିଥିଲା। ସେହିପରି ବିଓପିଏଫ ୧୦ ଆସନ, ଏଜିପି ୧୦ ଆସନ ଏବଂ ଏଆଇୟୁଡିଏଫ ୨ଟି ଆସନରେ ଜିତିଥିଲା।