ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରି ଆଜି ରାଜପଥରେ ଗର୍ଜନ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ‘ବୋଲ ମାନୁନି’ ସରକାରୀ ନିୟମ। ପୋଲିସ ନିଷ୍କ୍ରିୟ ଥିବା ବେଳେ ଗୃହ ବିଭାଗ ପଙ୍ଗୁ ହୋଇଯାଇଛି। ଏହାର ପ୍ରତିବାଦରେ ସୋମବାର କଂଗ୍ରେସ ପୋଲିସ କମିଶନରେଟ କାର୍ଯ୍ୟାଳୟ ଘେରାଉ କରିଛି।
ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପରେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଏଡିଏମ ଅଫିସ ସମ୍ମୁଖରୁ ବାହାରି ପୋଲିସ କମିଶନରେଟ ମୁଖ୍ୟାଳୟ ଆଡ଼କୁ ଯାଇଥିଲା। ପୂର୍ବରୁ ପୋଲିସ ମୁଖ୍ୟାଳୟ ଚତୁଃପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କଂଗ୍ରେସ ବିକ୍ଷୋଭକାରୀମାନେ ଅଗ୍ରସର ହେବା ମାତ୍ରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ।
ପୋଲିସ ଭକ୍ତ ଦାସଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇଥିଲା। ଆଗକୁ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ। ରାଜ୍ୟରେ ପ୍ରତିଦିନ ହତ୍ୟା ଭଳି ସଂଗଠିତ ଅପରାଧ ଘଟୁଛି। ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ବିଫଳ ହୋଇଛନ୍ତି। ପୋଲିସ ସମ୍ମୁଖରେ ପୋଲିସ୍ ମାଡ଼ ଖାଇ ମୃତ୍ୟୁବରଣ କରୁଛି। ବାଲିଅନ୍ତା ଘଟଣା ସବୁଠୁ ବଳିଗଲା। ତେଣୁ ଆଜି କଂଗ୍ରେସ ପକ୍ଷରୁ ପୋଲିସ କମିଶନରେଟ୍ କାର୍ଯ୍ୟାଳୟ ଘେରାଉ କରାଯାଉଛି।’
ସେହିପରି ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ କହିଛନ୍ତି, ‘ରାଜ୍ୟ ପୋଲିସ ଏବେ ସମସ୍ତ ଶକ୍ତି ଦେଇ ବିଜେପି ପାଇଁ କାମ କରୁଛି। ପୋଲିସ ପ୍ରତି ଅପରାଧୀଙ୍କର ଭୟ ନାହିଁ। ସରକାର ରାଜନୀତିରେ ପୋଲିସକୁ ବ୍ୟବହାର କରୁଛନ୍ତି। ତେଣୁ ପୋଲିସ ପାଖରେ ଲୋକଙ୍କ ପାଇଁ କାମ କରିବାକୁ ସମୟ ନାହିଁ। ସରକାର ପୋଲିସକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି। ପୋଲିସ ବିଭାଗ ବାଟକୁ ଚାଲିଆସନ୍ତୁ, ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ। ରାଜ୍ୟରେ ଆଇନ ଅବସ୍ଥା ଭୁଶୁଡ଼ି ଯାଇଥିବାରୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।’
ମହିଳା ନେତ୍ରୀ ସୋନାଲି ସାହୁ କହିଛନ୍ତି, ‘ମହିଳାମାନଙ୍କୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ ବିଫଳ। ପ୍ରତିଦିନ ମହିଳାଙ୍କ ଉପରେ ଆକ୍ରମଣ ହେଉଛି। ସାଧାରଣ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସବୁଠି ବଦନାମ ହେଉଛି। ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।’
ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ହତ୍ୟା ଖବର ସାମ୍ନାକୁ ଆସୁଛି। ଗଞ୍ଜାମ, ପୁରୀ ସତ୍ୟବାଦୀ ପରେ ଜୟଦେବର ବାଲିଅନ୍ତା ଓ ବାଲିପାଟଣାରେ ଲଗାତାର ଦୁଇ ଦିନରେ ଘଟିଥିବା ହତ୍ୟା ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସରକାର ବାଲିଅନ୍ତା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ପୋଲିସ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର।
