FeaturedLatestNews

୭୫ ବର୍ଷ ପୂର୍ତ୍ତିରେ ସୋମନାଥ ସ୍ବାଭିମାନ ପର୍ବ, ମୁଖ୍ୟମନ୍ତ୍ରୀଙ୍କ ବିକାଶ ଘୋଷଣା

ଭୁବନେଶ୍ୱର (ସଂକେତ ଟିଭି): ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମବାର, ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ନିକଟରେ ‘ସୋମନାଥ ସ୍ବାଭିମାନ ପର୍ବ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ, ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଏକ ଅଦୃଶ୍ୟ ଓ ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ହେଉଛନ୍ତି ପୂର୍ବର ଅବିଚଳିତ ଶକ୍ତି। ଇତିହାସର ପୃଷ୍ଠା ଓଲଟାଇ ସେ ଦର୍ଶାଇଥିଲେ ଯେ, ଆକ୍ରମଣକାରୀମାନେ ବାରମ୍ବାର ମନ୍ଦିର ଧ୍ୱଂସ କରି ଭାରତର ଆତ୍ମାକୁ ମାଟିରେ ମିଶାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସନାତନୀଙ୍କ ରକ୍ତରେ ପ୍ରବାହିତ ଆସ୍ଥା ଯୋଗୁଁ ଏହା ପ୍ରତିଥର ପୁନର୍ଜନ୍ମ ଲାଭ କରିଛି।

୧୯୫୧ ମସିହାର ଐତିହାସିକ ଘଟଣାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଦୃଢ ସଂକଳ୍ପ ଯୋଗୁଁ ହିଁ ସୋମନାଥ ମନ୍ଦିରର ପୁନଃନିର୍ମାଣ ସମ୍ଭବ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବୀରାସତ ଭି’ ନୀତି ଅନୁଯାୟୀ ଓଡ଼ିଶା ସରକାର ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ ୧୦୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ଓଡ଼ିଶାକୁ ଭାରତର ସାଂସ୍କୃତିକ ରାଜଧାନୀ ଭାବେ ପ୍ରତିଷ୍ଠା କରିବ ବୋଲି ପ୍ରକାଶ କରିଛନ୍ତି।

ଏହାସହ ‘ଅରେଞ୍ଜ ଇକୋନୋମି’ ବା ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ତାଙ୍କ ସରକାରର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ଏହି ଅବସରରେ ଗୁଜରାଟର ପ୍ରଭାସ ପାଟନସ୍ଥିତ ସୋମନାଥ ମନ୍ଦିରରୁ ଶ୍ରୀସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ଓ ଅନ୍ୟମାନେ ଦେଖିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ, ସଂସ୍କୃତି ସଚିବ ଡ ବିଜୟ କେତନ ଉପାଧ୍ୟାୟ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ୠତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।