ରାଜ୍ୟପାଳଙ୍କୁ ପତ୍ର ଲେଖି ସରକାର ଗଠନ ପାଇଁ ଦାବୀ କଲେ ବିଜୟ
ଚେନ୍ନାଇ (ସଂକେତ ଟିଭି): ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ସବୁଠାରୁ ବୃହତ ଦଳ ଭାବେ ଟିଭିକେ (ତାମିଲନାଡୁ ଭେଟ୍ରି କାଝାଗମ) ଉଭା ହୋଇଛି। ଏହି ଐତିହାସିକ ସଫଳତା ପରେ ପାର୍ଟି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ କରିଥିଲା। ଏହି ବୈଠକରେ ପାର୍ଟି ସୁପ୍ରିମୋ ବିଜୟଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା।
ଦଳ ସରକାର ଗଠନ ପାଇଁ ଆବଶ୍ୟକୀୟ ବିଧାୟକଙ୍କ ମ୍ୟାଜିକ୍ ସଂଖ୍ୟା ଏବଂ ସମର୍ଥନ ନେଇ ନିଜର ମତ ସ୍ପଷ୍ଟ କରିଛି। ସୂତ୍ର ଅନୁସାରେ, ବୈଠକରେ କୁହାଯାଇଛି ଯେ ଆତ୍ମସମ୍ମାନ ସହିତ କୌଣସି ସମାଧାନ କରାଯିବ ନାହିଁ। ଅର୍ଥାତ୍, ବହୁମତ ପାଇଁ ଆବଶ୍ୟକ ସମର୍ଥନ ସଂଗ୍ରହ ନିମନ୍ତେ ଦଳ ଅନ୍ୟ କୌଣସି ଦଳ ପାଖରେ ହାତ ପତାଇବ ନାହିଁ। ସମ୍ପୂର୍ଣ୍ଣ ପ୍ରକ୍ରିୟା ସ୍ୱାଭାବିକ ଭାବରେ କରାଯିବ। ଅର୍ଥାତ୍, ଯେଉଁମାନେ ଟିଭିକେ ସହିତ ଆଲୋଚନା କରିବାକୁ ଆଗ୍ରହୀ ହୋଇ ଆସିବେ, ସେମାନଙ୍କ ସହିତ ଆଲୋଚନା କରାଯିବ। ଏହାସହ ଟିଭିକେକୁ ସମର୍ଥନ କରୁଥିବା ଦଳଗୁଡ଼ିକୁ କ୍ଷମତାରେ ସାମିଲ କରିବାରେ ମଧ୍ୟ ଦଳର କୌଣସି ଆପତ୍ତି ରହିବ ନାହିଁ ବୋଲି ସୂତ୍ର କହିଛି। ଦଳର ବରିଷ୍ଠ ନେତାମାନେ ମେଣ୍ଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ।
ତାମିଲନାଡୁର ୨୩୪ ବିଧାନସଭା ଆସନ ମଧ୍ୟରୁ ଟିଭିକେ ୧୦୮ ଟିରେ ବିଜୟୀ ହୋଇଛି, ଯାହା ବହୁମତ (୧୧୮) ପାଇଁ ୧୦ ଆସନ ପଛରେ ରହିଛି। ଏହି ପରିପ୍ରେକ୍ଷୀରେ ବିଜୟ ରାଜ୍ୟପାଳଙ୍କୁ ପତ୍ର ଲେଖି ସରକାର ଗଠନ ପାଇଁ ଦାବୀ କରିଛନ୍ତି। ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ପଠାଯାଇଥିବା ଇମେଲରେ ବିଜୟ କହିଛନ୍ତି ଯେ, ସବୁଠାରୁ ବଡ଼ ଦଳ ହୋଇଥିବାରୁ ଟିଭିକେକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯିବା ଉଚିତ। ବିଧାନସଭାରେ ବହୁମତ ପ୍ରମାଣ କରିବା ପାଇଁ ଦଳକୁ ସୁଯୋଗ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଟିଭିକେ ସୂତ୍ର ଅନୁସାରେ, ଦଳ ଗୃହରେ ବହୁମତ ପ୍ରମାଣ କରିବା ପାଇଁ ଦୁଇ ସପ୍ତାହ ସମୟ ଲୋଡ଼ିଛି। ଜଣେ ଅଧିକାରୀ କହିଛନ୍ତି ଯେ, ଯଦି କୌଣସି ଦଳ ସ୍ପଷ୍ଟ ବହୁମତ ହାସଲ କରିନପାରେ, ତେବେ ରାଜ୍ୟପାଳ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଏହି ପରିସ୍ଥିତି ମଧ୍ୟରେ ବିଜୟଙ୍କ ପନାୟୁର ବାସଭବନ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବିଜୟ ଦୁଇଟି ଆସନ – ପେରାମ୍ବୁର ଏବଂ ତିରୁଚିରାପଲ୍ଲୀ ପୂର୍ବରୁ ବିଜୟୀ ହୋଇଛନ୍ତି, ଏବଂ ସେ ପେରାମ୍ବୁର ଆସନ ରଖିବାର ସମ୍ଭାବନା ରହିଛି।
