CulturalFeaturedLatestNews

ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥନିର୍ମାଣ କାମ

ପୁରୀ (ସଂକେତ ଟିଭି): ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ତିନି ରଥର ଚକ ନିର୍ମାଣ ସହ ତିନି ରଥର ଯୋଜା ଓ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳାରେ ରଖିଛନ୍ତି। ସେମାନେ ଚକ ଗୁଡ଼ିକୁ ଅଖାରେ ବାନ୍ଧି ଚାଞ୍ଚ ଢାଙ୍କି ସାଇତିଛନ୍ତି।

ରଥ ନିର୍ମାଣରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ଅଂଶ ମଧ୍ୟରେ ତିନି ରଥର ଭୂଇଁ ନିର୍ମାଣ ପାଇଁ ଆବଶ୍ୟକ ଅଂଶ ଗୁଡ଼ିକ ପ୍ରସ୍ତୁତ କରାଯାଉଛି। ରଥ ଅମୀନ ତିନି ରଥ ଚାଳିକୁ ଯୋଗାଇଥିବା ଖାମ୍ବୀ ଏବଂ ନିରାଡି ନିର୍ମାଣ ପାଇଁ ପ୍ରଥମ ଦଫାରେ ୪ (ଚାରି) ଟି ଲେଖାଏଁ ଆବଶ୍ୟକ ୨୦ ଫୁଟିଆ ଧଉରା ଓ ଅସନ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଥିଲେ।

ତିନି ରଥର ମହାରଣା ସେବକମାନେ ଉକ୍ତ କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି। ଏଥିସହ ଦ୍ୱିତୀୟ ପର୍ଯ୍ୟାୟରେ ରଥ ଅମୀନ ତିନି ରଥର ଯୋକା ଏବଂ ମୁହାଁଟ ନିର୍ମାଣ ପାଇଁ ଯୋଗାଇଥିବା ଧଉରା କାଠକୁ ମଧ୍ୟ ଚଉପଟ କରାଯାଇଛି।

ମହାରଣା ସେବକମାନେ ୪ (ଚାରି) ଗୋଟି ଲେଖାଏଁ ମୁହାଁଟ ଏବଂ ୧୬ (ଷୋଳ) ଗୋଟି ଲେଖାଏଁ ଯୋକା ନିର୍ମାଣ ଶେଷ କରିଛନ୍ତି। ତାଳଧ୍ଵଜ ରଥର ବର୍ତମାନ ସୁଦ୍ଧା ୫ (ପାଞ୍ଚ) ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ଆଉ ଦୁଇଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।