୩ୟ ଥର ପାଇଁ ଆସାମରେ ଆସିଲା ବିଜେପି ସରକାର
ଗୁୱାହାଟୀ(ସଂକେତ ଟିଭି): ଆସାମରେ ପୁଣିଥରେ ସରକାର ଗଢ଼ିବ ବିଜେପି। ବିଜେପି ବହୁମତ ହାସଲ କରି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଆସାମର ଜନାଦେଶ ବିଜେପି ସପକ୍ଷରେ ଯାଇଛି। ‘ମାମା ମ୍ୟାଜିକ୍’ ଏବଂ ‘ମିୟାଁ ପଲିଟିକ୍ସ’ ଉପରେ ଜନତାଙ୍କ ରୋଷ ବିଜେପିକୁ ଏହି ବିଜୟ ଆଣିଦେଇଛି।
ଏଠାରେ ୧୨୩ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନର ତାଜା ସ୍ଥିତି ଉପସ୍ଥାପନ କରାଯାଉଛି। ଭୋଟ୍ ଗଣତି ଜାରି ଥିବାବେଳେ ବିଜେପି ବର୍ତ୍ତମାନ ସୁଦ୍ଧା ୬୫ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୭ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଥିବାବେଳେ ୧୨ଟି ଆସନରେ ଆଗୁଆ ରହିଛି। ବିଓପିଏଫ ୭ଟି ଆସନରେ ବିଜୟୀ ହୋଇଥିବାବେଳେ ୩ଟି ଆସନରେ ଆଗୁଆ ରହିଛି। ସେହିପରି ଆସାମ ଗଣ ପରିଷଦ ୫ଟି ଆସନରେ ବିଜୟୀ ହୋଇଥିବାବେଳେ ୫ଟି ଆସନରେ ଆଗୁଆ ରହିଛି।
ତେବେ ବିଜେପିର ଏହି ଝଡ଼ ଭିତରେ ମଧ୍ୟ ଗୋଟିଏ ଆସନରେ ବାଜିମାରି ନେଇଛି ଟିଏମସି। ଦଳର ଏକମାତ୍ର ପ୍ରାର୍ଥୀ ଭାବରେ ଶେରାମାନ ଅଲୀ ଅହମଦ ମଣ୍ଡିଆ ନିର୍ବାଚନ ମଣ୍ଡଳୀରେ ଦମଦାର ବିଜୟ ହାସଲ କରିଛନ୍ତି। ଟିଏମସି ପାଇଁ ଏହା ଏକ ଅପ୍ରତ୍ୟାଶିତ ବିଜୟ।
ପଶ୍ଚିମ ଆସାମରେ ଶେରାମାନ ଅଲୀ ଅହମଦ ଜଣେ ପରିଚିତ ଚେହେରା। ସେ ତୃତୀୟ ଥରର ବିଧାୟକ ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେଶ ଅଧିକ। ୨୦୧୧ ମସିହାରେ ସେ ବାଘବାର ନିର୍ବାଚନ ମଣ୍ଡଳୀରୁ ଏଆଇୟୁଡିଏଫର ନେତା ଭାବରେ ଆସାମ ବିଧାନସଭାକୁ ଯାଇଥିଲେ। ୨୦୧୬ ଓ ୨୦୨୧ରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ।
ଏବେ ଦଳୀୟ ଶୃଙ୍ଖଳାକୁ ଉଲ୍ଲଙ୍ଘନ କରି କଂଗ୍ରେସରୁ ନିଲମ୍ବିତ ହୋଇଥିବା ଅହମଦ କ୍ରମାଗତ ଭାବରେ ଦଳକୁ ସମାଲୋଚନା କରି ଚାଲିଥିଲେ। ୨୦୨୬ ଫେବୃଆରୀ ମାସରେ ସେ କଂଗ୍ରେସ ଛାଡ଼ି ତତ୍କାଳୀନ ସହଯୋଗୀ ଦଳ ରାଇଜୋରରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଉପସଭାପତି ଭାବରେ ନିଯୁକ୍ତି ମିଳିଥିଲା। ରାଇଜୋର ଦଳ ତାଙ୍କୁ ମଣ୍ଡିଆ ଆସନରୁ ପ୍ରାର୍ଥୀ କରିଥିଲା।
ହେଲେ ମାସକ ମଧ୍ୟରେ ସବୁ ବଦଳି ଯାଇଥିଲା। କଂଗ୍ରେସ ସିଟ୍ ଶେୟାରିଂ ଫର୍ମୁଲା ଅନୁସାରେ ମଣ୍ଡିଆରେ ନିଜର ଇଚ୍ଛାକୃତ ପ୍ରାର୍ଥୀ ଦେଇଥିଲା। ଏଥିଯୋଗୁ ଅହମଦଙ୍କୁ ମଣ୍ଡିଆ ଆସନରୁ ଡ୍ରପ୍ କରାଯାଇଥିଲା। ଏଥିରେ ସେ ଉତକ୍ଷିପ୍ତ ହୋଇ ରାଇଜୋର ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ଟିଏମସି ତାଙ୍କୁ ଟିକେଟ୍ ଦେଇଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଛନ୍ତି। ଆସାମର ସାମଗ୍ରିକ ବିଜେପି ବିଜୟ ଭିତରେ ଟିଏମସିର ଏହି ଗୋଟିଏ ଆସନର ବିଜୟ ଚର୍ଚ୍ଚାର ବିଷୟ ପାଲଟିଛି।
