ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନଗଣନା
ଭୁବନେଶ୍ୱର (ସଂକେତ ଟିଭି): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି। ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜସ୍ୱ ବିଭାଗ।
ଏହା ସହ ଜନଗଣନା ସମୟରେ ସ୍କୁଲରେ ପାଠପଢ଼ାରେ କିପରି ସମସ୍ୟା ନ ହେବ, ତାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଜନଗଣନା କାମରେ ନିୟୋଜିତ ହୋଇଛନ୍ତି, ସେମାନଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଂ କରିବେ ଜିଲ୍ଲାପାଳ।
ଜନଗଣନା ଅଧିକାରୀଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ସହ ଆଲୋଚନା ହୋଇଛି। ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ଅପରାଧୀ ଓ ଗ୍ରୀଷ୍ମ ପ୍ରବାହଠାରୁ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଯେଉଁ ଶିକ୍ଷକମାନେ ଏହି କାମରେ ନିୟୋଜିତ ଅଛନ୍ତି, ସେହି ସ୍କୁଲରେ ଶିକ୍ଷାଦାନ ଓ ମିଡ଼ଡେ ମିଲ୍ ଯେପରି ପ୍ରଭାବିତ ହେବ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା ଅଧିକାରୀମାନେ ଜନଗଣନା କରିବେ ନାହିଁ। ଏହି ସମୟରେ ଜନଗଣନା କାର୍ଯ୍ୟ ସ୍ଥଗିତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି କାର୍ଯ୍ୟରେ ୩୧୨ ଜଣ ଚାର୍ଜ ଅଫିସରଙ୍କ ସହ ଏକ ଲକ୍ଷ ଅଧିକାରୀ ନିୟୋଜିତ ଅଛନ୍ତି। ଅଧିକାଂଶ ଶିକ୍ଷକ ଏଥିରେ ନିୟୋଜିତ ଅଛନ୍ତି।
ସୁବର୍ଣ୍ଣପୁରରେ ଜନଗଣନା କାର୍ଯ୍ୟରେ ଜଣେ ବ୍ୟକ୍ତିଙ୍କର ଦେହାନ୍ତ ଘଟଣାରେ ତାଙ୍କ ଘରଲୋକ ପୋଷ୍ଟମର୍ଟମ କରିନାହାନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗାଯାଇଛି। ସେହିଭଳି କାମାକ୍ଷାନଗରରେ ଜନଗଣନା ଅଧିକାରୀଙ୍କୁ ମାଡ଼ ଘଟଣାରେ ରାଜସ୍ୱ ମନ୍ତ୍ରୀ ଏସ୍ପିଙ୍କ ସହ କଥା ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
