ଭିଡି ସତୀଶନ ହେବେ କେରଳର ୨୩ତମ ମୁଖ୍ୟମନ୍ତ୍ରୀ
ଥିରୁଅନନ୍ତପୁରମ (ସଂକେତ ଟିଭି): ଭିଡି ସତୀଶନ ହେବେ କେରଳର ନୂଆ ମୁଖ୍ୟମନ୍ତ୍ରୀ। କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ଫଳାଫଳ ଘୋଷଣାର ୧୦ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ପାର୍ଟି। ସତୀଶନ ଜଣେ ୬ ଥରର ବିଧାୟକ ରହିଛନ୍ତି।
କେରଳ ବିଧାନସଭାର ବିରୋଧୀ ଦଳ ନେତା ଭିଡି ସତୀଶନଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ। ଏଆଇସିସି ସାଧାରଣ ସମ୍ପାଦକ (ଇନ୍ ଚାର୍ଜ) ଦୀପା ଦାସମୁନସୀ ନୂଆଦିଲ୍ଲୀରୁ ନାଁ ଘୋଷଣା କରିଛନ୍ତି। ୬ ଥରର ବିଧାୟକ ତଥା ରାଜ୍ୟ କଂଗ୍ରେସର ଅନ୍ୟତମ ଲୋକପ୍ରିୟ ନେତା ଅଟନ୍ତି ସତୀଶନ। ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ ଓ ରମେଶ ଛେନିଥାଲାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍ରେ ରହିଥିଲା। ହେଲେ ସତୀଶନଙ୍କ ନାଁ ଘୋଷଣା କରି ସମସ୍ତ କଳ୍ପନା ଜଳ୍ପନା ଉପରୁ ପରଦା ହଟାଇଛି କଂଗ୍ରେସ ପାର୍ଟି।
ଗତ ବୁଧବାର ଦିନ ବିଧାୟକ ମହମ୍ମଦ ସିୟାସଙ୍କ ସମେତ ଦଳର ଅନ୍ୟ କିଛି ବିଧାୟକ ସତୀଶନଙ୍କ ବାସଭବନକୁ ଯାଇଥିଲେ। ଏହାର କିଛି ସମୟ ପରେ ସତୀଶନଙ୍କ ବାସଭବନ ବାହାରେ ଦଳୀୟ କର୍ମୀ ଓ ନେତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କର୍ମୀ ଓ ନେତାମାନଙ୍କ ଭିଡ଼ ବଢିବା ନେଇ ଅନୁମାନ କରାଯାଉଥିଲା ଯେ, ହାଇକମାଣ୍ଡ ତାଙ୍କ ନାଁରେ ମୋହର ଲଗାଇ ପାରନ୍ତି।
ସତୀଶନଙ୍କ ସମର୍ଥକମାନେ ତାଙ୍କୁ ‘ଧର୍ମନିରପେକ୍ଷତାର ରକ୍ଷକ’ ଭାବରେ ବର୍ଣ୍ଣନା କରିବା ସହ ଦଳୀୟ ପତାକା ଉଡ଼ାଇ ସ୍ଲୋଗାନ ଦେଇଛନ୍ତି। ହାଇକମାଣ୍ଡ ଜନମତକୁ ବିଚାର କରି କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି ନେଇଥିବା ସମର୍ଥକମାନେ ପ୍ରତିକ୍ରିୟା ରଖିଛନ୍ତି। ସତୀଶନଙ୍କ ବାସଭବନ ବାହାରେ ବହୁ ସଂଖ୍ୟାରେ ମହିଳା କର୍ମୀଙ୍କୁ ଦେଖିବାକୁ ମିଳିଛି।
ୟୁଡିଏଫ ରାଜ୍ୟରେ ୧୦୦ ରୁ ଅଧିକ ସିଟରେ ବିଜୟ ହାସଲ କରିବ ବୋଲି ସତୀଶନ ଦାବି କରିଥିଲେ। ଏଣୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ହକଦାର ବୋଲି କର୍ମୀମାନେ ଦାବି କରି ଆସୁଥିଲେ। କେରଳରେ ବାମ ଦଳର ୧୦ ବର୍ଷର ଶାସନକୁ ଚଳିତ ବିଧାନସଭା ନିର୍ବାଚନରେ ବଡ଼ ଝଟକା ଲାଗିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନଙ୍କ ନେତୃତ୍ବାଧୀନ ଏଲଡିଏଫ(LDF)କୁ ପରାସ୍ତ କରି କ୍ଷମତାକୁ ଫେରିଥିଲା କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ (UDF)। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ, କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ଼ ଡେମୋକ୍ରଟିକ ଫ୍ରଣ୍ଟ (UDF) ୧୦୨ ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି।
