FeaturedGeneralLatest

କୋଲକାତା ହାଇକୋର୍ଟରେ ମମତା: ଓକିଲ ବେଶରେ ଯୁକ୍ତି ଉପସ୍ଥାପନ

କୋଲକାତା(ସଂକେତ ଟିଭି): ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଗୁରୁବାର କୋଲକାତା ହାଇକୋର୍ଟରେ ଦେଖିବାକୁ ମିଳିଲା। ନିର୍ବାଚନ ପରବର୍ତ୍ତୀ ହିଂସା ତଥା ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ସମ୍ପର୍କିତ ଏକ ମାମଲାର ଯୁକ୍ତି ଉପସ୍ଥାପନ କରିବାକୁ ସେ କୋଲକାତା ହାଇକୋର୍ଟରେ ପହଞ୍ଚିଥିଲେ। ଏହି ମାମଲା ଜନସ୍ୱାର୍ଥ ହୋଇଥିଲା।

ଏହା ପୂର୍ବରୁ ଚଳିତବର୍ଷ ଆରମ୍ଭରେ ମମତା ସୁପ୍ରିମକୋର୍ଟ ଯାଇଥିଲେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦରେ ଥିଲେ। ସେତେବେଳେ ସେ ସାଧାରଣ ନାଗରିକ ଭାବରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ଯୁକ୍ତି ରଖିଥିଲେ। ହେଲେ ଏଥର ବିଧାନସଭା ନିର୍ବାଚନ ହାରିବା ପରେ ସେ ପୁଣି ଥରେ କୋର୍ଟରେ ଉପସ୍ଥିତ ହୋଇଛନ୍ତି, ଏବଂ ତଫାତ ହେଉଛି ଯେ ଏଥର ଓକିଲ ବେଶରେ ଯାଇଛନ୍ତି।

ଓକିଲ ବେଶରେ ମମତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁଜୟ ପାଲଙ୍କ ବେଞ୍ଚରେ ନିଜ ଦଲିଲ ଉପସ୍ଥାପନ କରିଥିଲେ। ନିର୍ବାଚନ ପରେ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲେ। ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାରୁ ଏପରି ଅଭିଯୋଗ ଆସିଥିବା ସେ କୋର୍ଟକୁ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ଏହି ମାମଲାଟି ସିରସାନ୍ୟା ବାନାର୍ଜୀ ଦାଏର କରିଥିଲେ। ସିରସାନ୍ୟା ଶ୍ରୀରାମପୁରର ତୃଣମୂଳ ଏମପି କଲ୍ୟାଣ ବାନାର୍ଜୀଙ୍କ ପୁଅ ଏବଂ ୨୦୨୬ ନିର୍ବାଚନରେ ଉତ୍ତରପାରା ବିଧାନସଭା ଆସନରୁ ଲଢି ହାରିଯାଇଥିଲେ। ନିର୍ବାଚନ ପରେ ହିଂସାକାଣ୍ଡର ଖବର ପାଇ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

କୋର୍ଟରେ ଯୁକ୍ତି ବେଳେ ମମତା କହିଥିଲେ, “ମୁଁ ୧୯୮୫ରେ ବାର କାଉନସିଲର ସଦସ୍ୟ ଭାବରେ ନିଜ ନାମ ଏନରୋଲ କରିଥିଲି। ମୁଁ ମୋ ନିଜ ମତ ରଖିବାକୁ ଚାହେଁ। ଅନୁସୂଚିତ ଜାତି ପରିବାରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ନବ ବିବାହିତ ଦମ୍ପତି ଏବଂ ତାଙ୍କ ପରିବାରଙ୍କୁ ଘରୁ ବାହାର କରିଦିଆଗଲା। ଏହା କୌଣସି ବୁଲଡୋଜର ରାଜ୍ୟ ନୁହେଁ। ଏହା ସମୃଦ୍ଧ ଏବଂ ଐତିହ୍ୟର ଭୂମି। ଆମକୁ ସୁରକ୍ଷା ଦେବାକୁ ଆପଣଙ୍କୁ ନିବେଦନ କରୁଛୁ।”