FeaturedLatestNews

୯.୮ ଲକ୍ଷ ଭୋଟର ବାଦ ପଡ଼ିବା ନେଇ ସିଇଓ କାର୍ଯ୍ୟାଳୟ ଘେରାଉ କଲା ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ପ୍ରକ୍ରିୟାର ମ୍ୟାପିଂ ସମୟରେ ୯.୮ ଲକ୍ଷ ଭୋଟର ବାଦ ପଡ଼ିବା ନେଇ ବିଜୁ ଜନତା ଦଳ (ବିଜେଡି) ତୀବ୍ର ପ୍ରତିବାଦ କରିଛି। ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜେଡି ଅଭିଯୋଗ କରିଛି ଯେ, ଶାସକ ଦଳକୁ ସୁହେଇବା ଭଳି ଯୋଗ୍ୟ ଭୋଟରଙ୍କୁ ଜାଣିଶୁଣି ବାଦ ଦିଆଯାଇଛି। ଏନେଇ ଦଳ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଦାବିପତ୍ର ପ୍ରଦାନ କରିଛି।

ବିଜେଡିର ଛାତ୍ର ସଂଗଠନ ‘ଛାତ୍ର ଜନତା ଦଳ’ର ସଭାପତି ଇପ୍ସିତା ସାହୁ କହିଛନ୍ତି, “ନିର୍ବାଚନ କମିଶନଙ୍କ ଇଲେକ୍ଟ୍ରାଲ ରୋଲ ପ୍ରତିବର୍ଷ ଜାନୁଆରୀରେ ରିଭିଜନ ହୁଏ। କିନ୍ତୁ ଏହି ବର୍ଷ ହୋଇଥିବା ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭୋଟରଙ୍କୁ ବାଦ ଦିଆଯାଇଛି। ସାଧାରଣତଃ ଏହି ପ୍ରକ୍ରିୟାରେ ଅତି ବେଶୀରେ ୭ ଲକ୍ଷ ଭୋଟର ବାଦ ପଡ଼ନ୍ତି, କିନ୍ତୁ ଏଥର ୩ ଲକ୍ଷ ଅଧିକ ଭୋଟର ବାଦ ପଡ଼ିଥିବାରୁ ସନ୍ଦେହ ପ୍ରକାଶ ପାଇଛି।”

ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, “ଯେଉଁମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି, ତାଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ ନପଡ଼େ ସେଥିପ୍ରତି ଧ୍ୟାନ ଦେବା ଉଚିତ। ଥରେ ନୁହେଁ, ୭ ଥର ଯାଞ୍ଚ କରି ତାଲିକାରୁ ନାମ ବାଦ ଦିଆଯାଉ। ପ୍ରତିବର୍ଷ ୭ ଲକ୍ଷ ଭୋଟର ବାଦ ପଡ଼ନ୍ତି, କିନ୍ତୁ ଏହି ବର୍ଷ ୧୦ ଲକ୍ଷରୁ ଅଧିକ ଭୋଟର ବାଦ ପଡ଼ିଛନ୍ତି। ଏହା ଜଣେ ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି।”

ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, “ଏସଆଇଆର ପ୍ରସଙ୍ଗରେ ନିର୍ବାଚନ କମିଶନରଙ୍କ ସମଗ୍ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ କୋଟିରୁ ଅଧିକ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଇଛି। ଓଡ଼ିଶାରେ ମାତ୍ର ଏକ ବର୍ଷ ୪ ମାସ ତଳେ ଯେଉଁମାନେ ଭୋଟର ତାଲିକାରେ ଥିଲେ, ସେଥିରୁ ପ୍ରାୟ ୧୦ ଲକ୍ଷ ବାଦ ପଡ଼ିବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରୁଛି।”

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, “ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ର ପାଇଁ ଅତ୍ୟାବଶ୍ୟକ। ପ୍ରାଥମିକ ଯାଞ୍ଚରେ ଏତେ ସଂଖ୍ୟକ ଭୋଟରଙ୍କ ନାମ ବାଦ ପଡ଼ିବା ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି।” ସେ ପୁନର୍ବିଚାର କରି ଭୋଟରଙ୍କ ଅଧିକାର ଫେରାଇବାକୁ ଅନୁରୋଧ କରିଛନ୍ତି।