FeaturedGeneralLatest

ସୋନାମ ୱାଙ୍ଗଚୁକଙ୍କ ଉପରୁ ଏନଏସଏ ହଟାଇଲା କେନ୍ଦ୍ର

ଲେହ(ସଂକେତ ଟିଭି): ଲଦାଖର ପ୍ରମୁଖ ସାମାଜିକ କାର୍ଯ୍ୟକର୍ତ୍ତା ସୋନାମ ୱାଙ୍ଗଚୁକଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। ତାଙ୍କ ବିରୋଧରେ ଲଗାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନଏସଏ)କୁ ତୁରନ୍ତ ପ୍ରତ୍ୟାହାର କରିନେବା ସହ ତାଙ୍କୁ ଗିରଫଦାରୀରୁ ମୁକ୍ତ କରାଯାଇଛି।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଲଦାଖରେ ଶାନ୍ତି ଏବଂ ସ୍ଥିରତା ଫେରାଇଆଣିବା ପାଇଁ ସରକାର ପ୍ରତିବଦ୍ଧ। ଏହି ନିଷ୍ପତ୍ତି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ନିଆଯାଇଛି। ମନ୍ତ୍ରାଳୟର ବୟାନରେ ଉଲ୍ଲେଖ ଅଛି ଯେ, “ସରକାର ଲଦାଖରେ ପରସ୍ପର ମଧ୍ୟରେ ବିଶ୍ୱାସ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି।”

ସୋନାମ ୱାଙ୍ଗଚୁକ ଗତ କିଛି ମାସ ଧରି ଲଦାଖକୁ ଭାରତୀୟ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ଅନ୍ତର୍ଭୁକ୍ତ କରିବା ଏବଂ ଏହାକୁ ଏକ ପୃଥକ ରାଜ୍ୟର ମାନ୍ୟତା ଦେବା ଦାବିରେ ଆନ୍ଦୋଳନ କରୁଥିଲେ। ତାଙ୍କ ଗିରଫଦାରୀ ପରେ ଲଦାଖ ସମେତ ଦେଶର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ କେନ୍ଦ୍ର ସରକାର ଏବଂ ଲଦାଖର ପ୍ରତିନିଧି ମଣ୍ଡଳ ମଧ୍ୟରେ ଏକ ସକାରାତ୍ମକ ଏବଂ ରଚନାତ୍ମକ ଆଲୋଚନା ହୋଇପାରିବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ସୋନାମଙ୍କ ଉପରେ ଏନଏସଏ ଲାଗୁ ହେବା ପରେ ବିରୋଧୀ ଦଳ ସମେତ ବହୁ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ।