FeaturedLatestNewsPolitics

କ୍ରସ୍-ଭୋଟିଂ ନେଇ ନବୀନଙ୍କ ଆରୋପ, କହିଲେ ବିଜେପି କରିଛି ‘ଘୋଡ଼ା ବେପାର’

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସଭା ନିର୍ବାଚନରେ ହୋଇଥିବା କ୍ରସ୍ ଭୋଟିଂକୁ ନେଇ ରାଜନୀତି ତାତିଯାଇଛି। ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ‘ଘୋଡ଼ା ବେପାର’ (ଦଳ ବଦଳ) କରୁଛି। ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର ଅପରାଧିକ ରେକର୍ଡ ରହିଛି ଏବଂ ସେମାନଙ୍କ ବାପା ଜେଲରେ ଥିବାରୁ ସେମାନେ ଏପରି କାର୍ଯ୍ୟ କରିଛନ୍ତି ବୋଲି ନବୀନ ପରୋକ୍ଷରେ ଇଙ୍ଗିତ କରିଛନ୍ତି।

ଅପରପକ୍ଷରେ, ନବୀନଙ୍କ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଜୋରଦାର ପାଲଟା ଜବାବ ଦେଇଛନ୍ତି ବିଜେପି ନେତା ତଥା ପୂର୍ବତନ ବିଜେଡି ନେତା ପ୍ରଭାତ ତ୍ରିପାଠୀ। ନବୀନଙ୍କ ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ନିଜ ଦଳର ବିଧାୟକମାନଙ୍କୁ ଏକାଠି ରଖିବାରେ ନବୀନ ବିଫଳ ହୋଇଛନ୍ତି। ନିଜର ଦୋଷକୁ ଘୋଡ଼ାଇବା ପାଇଁ ଏପରି ଅଭିଯୋଗ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଅତୀତରେ ବିଜେଡି ତାଙ୍କୁ ବହୁତ ହଇରାଣ କରିଛି। ତାଙ୍କ ପୁଅ ଉପରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ସେ ଭୟ କରୁନାହାନ୍ତି ବୋଲି ପ୍ରଭାତ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି।