ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କନଷ୍ଟେବଳଙ୍କୁ ପିଟି ପିଟି ମାରିଦେଲେ ଲୋକେ
ଭୁବନେଶ୍ୱର (ସଂକେତ ଟିଭି): ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ନିକଟ ସାଇପନ ଛକରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ମାରି ଦେଲେ ଲୋକେ। ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସରେ ଜିମା ଦେଇଥିଲେ। ଲୋକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଓଲଟପୁର ଥାନା ଅଧୀନ ମୌଜପୁର ଗାଁର ସୌମ୍ୟରଞ୍ଜନ ସ୍ୱାଇଁ (୩୨)। ସେ GRP କନଷ୍ଟେବଳ ଥିଲେ। ଅନ୍ୟ ଆହତ ଓମପ୍ରକାଶ ରାଉତ ଥାନାରେ ଅଟକ ରହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅଞ୍ଚଳର ୨ ଜଣ ଯୁବତୀ ଏକ ସ୍କୁଟିରେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ଏବଂ ତାଙ୍କର ଜଣେ ସହଯୋଗୀ ଓମ ପ୍ରକାଶ ଏକ ବାଇକରେ ଆସି ୨ ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚାରଣ କରିଥିଲେ। ଏମିତିରେ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ବଡ଼ କଥା ହେଲା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ପୋଲିସ ଆଗରେ ଅତ୍ୟନ୍ତ ଅମାନୁଷିକ ଭାବରେ ଲୋକେ ପିଟିଥିବା ଅଭିଯୋଗ ହୋଇଛି।
ତେବେ ବାଲିଅନ୍ତା ଥାନା ପୋଲିସ ୨ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ କରିଥିଲେ। ହେଲେ ସେଠାରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଛନ୍ତି। ଲୋକେ ଏହି ଘଟଣାରେ ଆଇନକୁ ହାତକୁ ନେଇଛନ୍ତି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ଯେ ଯୁବତୀଙ୍କ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଭିଡ଼ିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ।
