FeaturedLatestNews

ନିଟ୍ ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କା କରି ଛାତ୍ରଙ୍କ ଆତ୍ମହତ୍ୟା

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ତିହିଡ଼ି ନୁନ୍ଦର ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଟ୍ (NEET) ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କା କରି ଛାତ୍ର ଜ୍ୟୋତି ପ୍ରକାଶ ବାରିକ ନିଜ ଜୀବନ ହାରିଛନ୍ତି।

ମୃତ ଛାତ୍ରଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ଜ୍ୟୋତି ପ୍ରକାଶ ଭୁବନେଶ୍ୱରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ପୂର୍ବରୁ ଥରେ ନିଟ୍ ପରୀକ୍ଷା ଦେଇଥିଲେ, ମାତ୍ର ଫଳାଫଳ ଖରାପ ହୋଇଥିଲା। ପରେ ସେ ଭୁବନେଶ୍ୱର ଛାଡ଼ି ଭଦ୍ରକ ଆସି ବାପା ଓ ମାଆଙ୍କ ସହ ସହରର ଟ୍ରେଜେରୀ ଅଫିସ ପଛପଟେ ଭଡ଼ା ଘରେ ରହି ପାଠ ପଢ଼ୁଥିଲେ। ତାଙ୍କ ବାପା ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଭଡ଼ା ଘରେ ରହି ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ଗତ ରବିବାର (୩ ତାରିଖ)ରେ ଜ୍ୟୋତି ପ୍ରକାଶ ଦ୍ବିତୀୟ ଥର ନିଟ୍ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଭଲ ପ୍ରଦର୍ଶନ ହୋଇନଥିବା ନେଇ ସେ ଆଶଙ୍କିତ ଥିଲେ। ଶେଷରେ ଖରାପ ମାର୍କ ଆସିବ ବୋଲି ଆଶଙ୍କା କରି ସେ ନିଜ ଜୀବନ ହାରିଦେଇଥିଲେ।

ମୃତ ଛାତ୍ରଙ୍କ ମାଉସୀ ପୁଷ୍ପାଞ୍ଜଳି ବେହେରା କହିଛନ୍ତି, “ପରୀକ୍ଷା ଫଳକୁ ନେଇ ଜ୍ୟୋତି ପ୍ରକାଶ ଚିନ୍ତିତ ରହୁଥିଲେ। ଭବିଷ୍ୟତରେ କିଛି କରିପାରିବେ ନାହିଁ ବୋଲି ସେ ପରିବାର ଲୋକଙ୍କୁ ବାରମ୍ବାର କହୁଥିଲେ। ବାପା-ମାଆ ଚା’ ଦୋକାନକୁ ଯାଇଥିଲା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତ ଭଡ଼ା ଘରେ ଜ୍ୟୋତି ପ୍ରକାଶ ନିଜ ଜୀବନ ହାରିଛନ୍ତି।”

ଘରକୁ ଫେରି ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ଖବର ପାଇ ଡାକ୍ତରଖାନା ଅଞ୍ଚଳରେ ପରିବାର ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।