CrimeFeaturedLatestNews

ଜନ୍ମଦାତ୍ରୀ ମାଆକୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ଭଦ୍ରକ (ସଂକେତ ଟିଭି): ପହିଲି ରଜରେ ରକ୍ତପାତ। ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଜନ୍ମଦାତ୍ରୀ ମାଆକୁ ବୀଭତ୍ସ ଭାବେ ହତ୍ୟା କରିଛି ପୁଅ।

ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିର ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ନିଜ ପୁଅ ପ୍ରୀତମ ସାହୁ କୁରାଢ଼ୀରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୁଅ ପ୍ରୀତମର ବୟସ ମାତ୍ର ୨୫ ବର୍ଷ ବୋଲି କୁହାଯାଉଥିବା ବେଳେ ଦୀର୍ଘ ଦିନ ଧରି ସେ ମାନସିକ ଭାରସାମ୍ୟ ହରାଇଥିଲା ବୋଲି ବାପା କହିଛନ୍ତି।

କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା, ସେନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରାଥମିକ ସୂଚନା ମୁତାବକ ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବନ୍ତ ଥାନା ପୋଲିସ ପହଞ୍ଚି ପ୍ରୀତମ ସାହୁକୁ କାବୁ କରି ତା ନିକଟରୁ କୁରାଢ଼ୀକୁ ମଧ୍ୟ ଜବତ କରିଛି। ପୋଲିସ ଥାନାକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି।