ହାତୀ ଆକ୍ରମଣରେ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତ୍ୟୁ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ୍ ତଥା ବେତନଟୀ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ କେନ୍ଦୁସାହି ଅସନବଣୀ ଗ୍ରାମର ଜଗନ୍ନାଥ ସିଂ।
ସୂଚନାଯୋଗ୍ୟ, ଶନିବାର ଅପରାହ୍ନ ସମୟରେ ଦିବ୍ୟାଙ୍ଗ ବୃଦ୍ଧ ଜଣଙ୍କ ଘରପାଖ ଜଙ୍ଗଲ ଆଡ଼କୁ ଯାଇଥିଲେ। ହଠାତ୍ କାଳବୈଶାଖୀ ମାଡ଼ି ଆସିବାରୁ ସେହି ସମୟରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି। ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ବୃଦ୍ଧଙ୍କର କୌଣସି ଖବର ପାଇ ନଥିଲେ।
ଶେଷରେ ରବିବାର ଦିନ ୧୧ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲ ନିକଟରେ ବୃଦ୍ଧଙ୍କ ଶରୀର ପଡ଼ିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେମାନେ ପରିବାର ଲୋକଙ୍କ ସହ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବେତନଟୀ ରେଞ୍ଜର ଧୁର୍ବନ୍ଦ୍ର ନାଥ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଲୋକେ ପହଞ୍ଚି ମୃତ ବୃଦ୍ଧଙ୍କୁ ଚିହ୍ନଟ କରିଥିଲେ।
ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଶନିବାର ସେହି ଅଞ୍ଚଳରେ ୧୧ଟି ହାତୀ ଥିଲେ। ରେଞ୍ଜର କାର୍ଯ୍ୟାଳୟ ପକ୍ଷରୁ ମାମଲାର ତଦନ୍ତ ଜାରି ରଖାଯାଇଛି।
