ଭାରତୀୟ ସେନାରେ ଲାଗୁ ହେଲା ନୂଆ ୟୁନିଫର୍ମ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ ଆସିଛି। ସେନା ନିଜର ଡ୍ରେସ୍ ଏବଂ ଗ୍ରୁମିଂ ସହିତ ଜଡ଼ିତ ନିୟମରେ ବ୍ୟାପକ ସଂଶୋଧନ କରିଛି। ଏହାର ଉଦ୍ଦେଶ୍ୟ ସେନା ପୋଷାକରେ ଭାରତୀୟତାକୁ ଝଲାଇବା।
ଦୀର୍ଘ ୮ ବର୍ଷ ପରେ ସେନାର ପୋଷାକ ନିୟମାବଳୀରେ ବଡ଼ ପରିବର୍ତ୍ତନ କରାଯାଇ ୧୭୪ ପୃଷ୍ଠାର ନୂଆ ମାନୁଆଲ୍ ‘ଆର୍ମି ୟୁନିଫର୍ମ-୨୦୨୬’ ଜାରି କରାଯାଇଛି। ଏଥିରେ ଔପନିବେଶିକ ଚିହ୍ନ ହଟାଇ ଦେଶୀ ପରମ୍ପରାକୁ ସ୍ଥାନ ଦିଆଯାଇଛି।
ଅଧିକାରୀମାନେ ଏବେ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସ୍ୱଦେଶୀ ଶୈଳୀର ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ ପିନ୍ଧିପାରିବେ। ଏହାକୁ ଫୁଲ୍-ସ୍ଲିଭ୍ ସାର୍ଟ ଉପରେ ଢିଲା କିମ୍ବା ହୁକ୍ ଲଗାଇ ଫର୍ମାଲ୍ ପ୍ୟାଣ୍ଟ୍ ଓ ଜୋତା ସହ ପିନ୍ଧାଯିବ।
ମେସ୍ ଡ୍ରେସ୍ ଭଳି କେତେକ ନିର୍ଦ୍ଦିଷ୍ଟ ପୋଷାକରୁ ବ୍ରିଟିଶ ଅମଳର ପାରମ୍ପରିକ ସେରିମୋନିୟଲ୍ ପାଉଚ୍ ବେଲ୍ଟକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ପରେଡ୍ ସମୟରେ ରିଭ୍ୟୁଇଂ ଅଫିସରଙ୍କ ପାଇଁ ତରବାରୀ ଧରିବା ଆଉ ବାଧ୍ୟତାମୂଳକ ନୁହେଁ; ଏହା ଅଫିସରଙ୍କ ଇଚ୍ଛା ଉପରେ ଛାଡ଼ିଦିଆଯାଇଛି।
ସମସ୍ତ ପାହ୍ୟାର ସୈନିକ ଓ ଅଧିକାରୀଙ୍କ ପାଇଁ ନୂଆ ୱିଣ୍ଟର ୟୁନିଫର୍ମ ଅଣାଯାଇଛି, ଯେଉଁଥିରେ ଆଙ୍ଗୋଲା ସାର୍ଟ, ବ୍ୟାଟେଲ୍ ଜ୍ୟାକେଟ୍ ଓ ବେରେଟ୍ ସାମିଲ ରହିଛି।
ଶରୀରରେ ଟାଟୁ, ଅତ୍ୟଧିକ ସୁଗନ୍ଧିତ ସେଣ୍ଟ, ଲିପଷ୍ଟିକ୍, ରଙ୍ଗୀନ ନେଲପଲିସ୍, ଟିକିଲି ଓ ନାକଫୁଲ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସେମାନେ ଶାଳୀନ ଶାଢ଼ୀ, କୁର୍ତ୍ତା-ସାଲୱାର କିମ୍ବା ଦୁପଟ୍ଟା ସହ ଆଙ୍କଲ୍-ଲେନ୍ଥ ପ୍ୟାଣ୍ଟ ପିନ୍ଧିପାରିବେ। ସିନ୍ଦୁର ଲଗାଇବାକୁ ଅନୁମତି ଥିବା ବେଳେ ଟୋପି ପିନ୍ଧିଲେ ତାହା ବାହାରକୁ ଦେଖା ନଯିବା ଉଚିତ। ସ୍ଲିଭ୍ଲେସ୍ କୁର୍ତ୍ତା, ପଲାଜୋ କିମ୍ବା ସିଗାରେଟ୍ ପ୍ୟାଣ୍ଟ୍ ନିଷିଦ୍ଧ।
ପ୍ରାୟ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଭାଡିଆଠାରେ କମାଣ୍ଡର୍ସ କନଫରେନ୍ସରେ ସେନାକୁ ବ୍ରିଟିଶ୍ ଅମଳର ପରମ୍ପରା ହଟାଇ ଭାରତୀୟ ପରମ୍ପରା ଆପଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନୂଆ ମାନୁଆଲ୍ ତାହାରି ପ୍ରତିଫଳନ।
