EducationFeaturedLatestNews

ବିଜେବି କଲେଜରେ ଡିଜେ ବାଦ୍ ବିବାଦରୁ ପଥରମାଡ଼, ୨୫ରୁ ଅଧିକ ଛାତ୍ର ଆହତ

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀର ବିଜେବି କଲେଜରେ ଏକ ଫେରୱେଲ ପାର୍ଟି ରଣଙ୍ଗନରେ ପରିଣତ ହୋଇଛି । ଡିଜେ ବଜାଇବାକୁ ନେଇ ଦୁଇ ହଷ୍ଟେଲର ଛାତ୍ରଙ୍କ ମଧ୍ୟରରେ ହୋଇଥିବା ଗଣ୍ଡଗୋଳରେ ପରିସ୍ଥିତି ହିଂସାତ୍ମକ ହୋଇ ପଡ଼ିଥିଲା । ଉତ୍ତେଜିତ ଛାତ୍ରମାନେ ପରସ୍ପର ଉପରକୁ ଇଟା ଓ ପଥର ଫିଙ୍ଗିବା ସହ ମଦ ବୋତଲ ମାଡ଼ କରିଥିଲେ । ଏହି ପଥରମାଡ଼ରେ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ କଲେଜ ପରିସରରେ ଥିବା ଅଶୋକା ହଷ୍ଟେଲ ପକ୍ଷରୁ ଏକ ଫେରୱେଲ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ନିର୍ଦ୍ଧାରିତ ସମୟସୀମା ପରେ ମଧ୍ୟ ରାତିରେ ଡିଜେ ବଜାଇ ଛାତ୍ରମାନେ ନାଚୁଥିଲେ। ଏହାକୁ ନେଇ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡିଜେ ବଜାଇବା ବନ୍ଦ କରାଇଥିଲା।

କିନ୍ତୁ ପୋଲିସ ଫେରିବା ପରେ ଦୁଇ ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ପ୍ରଥମେ ବାକ୍ ବିତଣ୍ଡା ଏବଂ ପରେ ପଥରପେଶ୍କର ଆରମ୍ଭ ହୋଇଯାଇଥିଲା। ରାତି ପ୍ରାୟ ୧୧.୩୦ରୁ ଆରମ୍ଭ ହୋଇଥିବା ଏହି ଗଣ୍ଡଗୋଳ ପ୍ରାୟ ୨.୩୦ ପର୍ଯ୍ୟନ୍ତ ଚାଲିଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ। ଏଥିରେ ଆହତ ଛାତ୍ରମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ବଡ଼ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ହଷ୍ଟେଲ ପରିସରରେ ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଘଟଣାସ୍ଥଳରେ ଅତିରିକ୍ତ ଡିସିପି, ଜୋନ୍ ଏସିପିଙ୍କ ସମେତ ଦୁଇ ଥାନା ଅଧିକାରୀ ଏବଂ ୧୦ଟି ପିସିଆର୍ ନିୟୋଜିତ ହୋଇଥିଲେ। ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦୁଇ ହଷ୍ଟେଲ ମଝିରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ୍ ମଧ୍ୟ ସ୍ଥାପନ କରାଯାଇଛି।

ଏହି ଘଟଣାର ତଦନ୍ତ ପାଇଁ କଲେଜ କର୍ତ୍ତୃପକ୍ଷ ଏକ ତଦନ୍ତକାରୀ କମିଟି ଗଠନ କରିଛନ୍ତି। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ା. ଲକ୍ଷ୍ମୀଧର ଭୋଳଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି କମିଟି ଘଟଣାର ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆସିବା ପରେ ଏହି ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ା. ଭୋଳ କହିଛନ୍ତି। ଆବଶ୍ୟକ ପଡ଼ିଲେ ପୋଲିସକୁ ସିସିଟିଭି ଫୁଟେଜ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି।