୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ
ହାଇଦରାବାଦ (ସଂକେତ ଟିଭି): ତେଲଙ୍ଗାନା ପୋଲିସ ଯୌନ ନିର୍ଯାତନା ମାମଲାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି. ଭଗୀରଥ ସାଇଙ୍କୁ ଗିରଫ କରିଛି। ମେଡିକାଲ ଯାଞ୍ଚ ପରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା। ପୋକ୍ସୋ ମାମଲାରେ କୋର୍ଟ ଭଗୀରଥଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ତାଙ୍କ ବିରୋଧରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଭଗୀରଥଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଓ ପୋକ୍ସୋ ଆଇନ ଅନୁଯାୟୀ ମାମଲା ଦାୟର କରାଯାଇଥିଲା। ଆଗୁଆ ଜାମିନ ପାଇଁ ସେ ତେଲଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ, କିନ୍ତୁ ହାଇକୋର୍ଟ ତାଙ୍କ ପିଟିସନ ଖାରଜ କରିଦେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଚେରଲାପଲ୍ଲୀ ଜେଲକୁ ପଠାଯାଇଛି ଏବଂ ୨୯ ମଇ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ ହେବ।
ସାଇବରାବାଦ ପୋଲିସ କମିଶନର ରମେଶ ରେଡ୍ଡୀ କହିଛନ୍ତି ଯେ ନରସିଙ୍ଗି ପୋଲିସ ଏକାଡେମୀ ନିକଟରୁ ଭଗୀରଥଙ୍କୁ ଗିରଫ କରାଯାଇଥିଲା। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ମେ’ ୮ ତାରିଖରେ ବିଏନ୍ଏସ୍ ଏବଂ ପୋକ୍ସୋ ଆଇନର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରିଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସେପଟେ କେନ୍ଦ୍ରମନ୍ତ୍ରୀ ସଞ୍ଜୟ କୁମାର କହିଛନ୍ତି ଯେ ସେ ଆଇନକୁ ସମ୍ମାନ ଜଣାଇ ପୋଲିସ ହାତକୁ ପୁଅକୁ ହସ୍ତାନ୍ତର କରିଛନ୍ତି। ସେ କହିଛନ୍ତି, “ଆଇନ ଆଗରେ ସମସ୍ତେ ସମାନ। ମୋ ପୁଅ ହେଉ କି ସାଧାରଣ ନାଗରିକ।” ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଭଗୀରଥଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏସ. ନିରଞ୍ଜନ ରେଡ୍ଡୀ ଯୁକ୍ତି ଦର୍ଶାଇଛନ୍ତି ଯେ ଅଭିଯୋଗରେ ଅନେକ ଅସଙ୍ଗତି ରହିଛି। ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ସହମତିରେ ଘଟଣା ଘଟିଥିଲା। ଗତ ଜାନୁଆରୀ ୭ରେ ସମ୍ପର୍କ ଛିନ୍ନ ହେବା ପରେ ପୀଡିତାଙ୍କ ପରିବାର ପକ୍ଷରୁ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
