ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଭୁବନେଶ୍ୱର (ସଂକେତ ଟିଭି): ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ। ଜଳସମ୍ପଦ ବିଭାଗର ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର।
ତେବେ ନିଲମ୍ବନ ହୋଇଥିବା ଯନ୍ତ୍ରୀମାନେ ହେଲେ: ବରଗଡ଼ ଜଳସେଚନ ଡିଭିଜନର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ୍ ଡିଭିଜନର ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲ।
ଆର୍ଥିକ ଅନିୟମିତତା ଅଭିଯୋଗରେ ଜଳସମ୍ପଦ ବିଭାଗ ସେମାନଙ୍କୁ ନିଲମ୍ବିତ କରିଛି। ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବକ୍ସ କଣ୍ଡକ୍ଟ ନିର୍ମାଣ ଏବଂ ବରଗଡ଼ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ନିଲମ୍ବନ ସମୟରେ ମଦନ ମୋହନ ସେଠୀ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ, ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲ ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
