FeaturedLatestNews

ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନଜୀବୀ ମାନଙ୍କ ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ସହାୟତା ରାଜ୍ୟ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯିବ।

ଆଇନଜୀବୀଙ୍କ ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ଉପକୃତ ହୋଇପାରିବେ।

୫ ବର୍ଷ କିମ୍ବା ଏଥିରୁ କମ୍ ସମୟ ପାଇଁ କାର୍ଯ୍ୟରତ ଆଇନଜୀବୀଙ୍କ ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧,୦୫,୦୦୦ ଟଙ୍କା ସହାୟତା ଦିଆଯିବ।

ପ୍ରତ୍ୟେକ ଅଧିକ ବର୍ଷର ଅଭିଜ୍ଞତା ପାଇଁ ସହାୟତା ରାଶି ବୃଦ୍ଧି ପାଇବ। ୩୦ ବର୍ଷ କାର୍ଯ୍ୟରତ ଥିଲେ, ଅବସର କ୍ଷେତ୍ରରେ ସମ୍ପୃକ୍ତ ଆଇନଜୀବୀଙ୍କୁ କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୬,୩୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହା ସର୍ବାଧିକ ସହାୟତା ପରିମାଣ।

ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ଆଇନଜୀବୀ ମାନଙ୍କର ଏହି ସହାୟତା ରାଶି ୨୦୨୧ ମସିହାରେ ବୃଦ୍ଧି ପାଇଥିଲା। ଏବେ ୪୦% ବୃଦ୍ଧି ପରେ ଆଇନଜୀବୀମାନେ ଅଧିକ ସୁବିଧା ପାଇପାରିବେ।