FeaturedLatestNews

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ଜବରଦଖଲ ଉଚ୍ଛେଦ

ପୁରୀ (ସଂକେତ ଟିଭି): ୨୦୨୩ ରୁ ବାଟଗାଁ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଚାରି ଲେନ ରାସ୍ତା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି କ୍ରମରେ, ପୁରୀ – ଭୁବନେଶ୍ଵର ଜାତୀୟ ରାଜପଥର ଅଠରନଳା ନିକଟରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବାଟଗାଁ ଠାରୁ ହସ୍ପିଟାଲ ଛକ ସମ୍ପ୍ରସାରଣ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଏଥିରେ ମାଜିଷ୍ଟ୍ରେଟଙ୍କ ସହ ଚାରି ପ୍ଲାଟୁନ ଫୋର୍ସ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି ।

ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଉଚ୍ଛେଦ ଅଭିଯାନ କରାଯାଇ ପ୍ରାୟ ୯୮ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି । ୨୦୧୫ ନବକଳେବର ସମୟରେ ପୁରୀରୁ ଭୁବନେଶ୍ଵର ଚାରି ଲେନ ରାସ୍ତା ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ହସ୍ପିଟାଲ ଛକରୁ ବାଟଗାଁ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହୋଇପାରି ନଥିଲା ।

ଏହି ପ୍ରକଳ୍ପ ପାଇଁ ୧୧ଟି ମୌଜାର ୬ ଏକର ଜମି ଅଧିଗ୍ରହଣ ଲକ୍ଷ୍ୟ ରହିଥିଲା । ବାଟଗାଁ ଠାରୁ ମେଡିକାଲ ଛକ ଯାଏଁ ହେବାକୁ ଥିବା ଚାରି ଲେନ ରାସ୍ତା ପାଇଁ ୧୧ଟି ମୌଜାର ୫ ଏକର ପ୍ରାଇଭେଟ୍ ଲ୍ୟାଣ୍ଡ ସହ ୧ ଏକର ସରକାରୀ ଜାଗା ଅଧିଗ୍ରହଣ କରାଯାଇଛି ।

ଡାକ୍ତରଖାନା ଛକଠାରୁ ଅଠରନଳା ପର୍ଯ୍ୟନ୍ତ ୨୪ ମିଟର ଓ ଅଠରନଳା ଠାରୁ ବାଟଗାଁ ଛକ ପର୍ଯ୍ୟନ୍ତ ୨୨ ମିଟର ପ୍ରଶସ୍ତ ରାସ୍ତା କରିବା ଯୋଜନା ରହିଛି । କିଛି ଜମି ମାଲିକ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେବା ପରେ ଅବଶିଷ୍ଟ ୧୧ ଟି ପ୍ଲଟ ଓ ୬ ଟି ମନ୍ଦିରର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

ଆସନ୍ତା ୨–୩ ଦିନ ମଧ୍ୟରେ ଅବଶିଷ୍ଟ ଜମି ଉଚ୍ଛେଦ ହୋଇ ଅଧିଗ୍ରହଣ ପରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଭୂଅର୍ଜନ ଅଧିକାରୀ କହିଛନ୍ତି ।