ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା
ଭୁବନେଶ୍ୱର(ସଂକେତ ଟିଭି): ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରୁଥିବା ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିକଟରେ ସେ ଏହି ଇସ୍ତଫା ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜର ଇସ୍ତଫାପତ୍ର ପଠାଇଥିଲେ। ପ୍ରାୟ ୨୫ ଦିନ ତଳେ ସେ ଏହି ପତ୍ର ଦାଖଲ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ।
ଜଗମୋହନ ମୀନାଙ୍କ ଇସ୍ତଫା ନିଷ୍ପତ୍ତିକୁ ନେଇ ପୋଲିସ ବିଭାଗ ସମେତ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ସେ ସରକାରୀ ସେବାରୁ ଅବ୍ୟାହତ ନେଇ ଘରୋଇ ସଂସ୍ଥାରେ ଯୋଗ ଦେବାକୁ ଯୋଜନା କରୁଛନ୍ତି। ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ଡିସିପିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।
ଉଲ୍ଲେଖଯୋଗ୍ୟ, ମୀନା ପୂର୍ବରୁ ଅନୁଗୁଳ, ଗଞ୍ଜାମ ଏସ୍ପି ଏବଂ କଟକ ୟୁପିଡି ଡିସିପି ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।
ଜଗମୋହନ ମୀନା ହଠାତ୍ ଅତ୍ୟଧିକ ଚାପ ଏବଂ କଡ଼ା ସମାଲୋଚନା କାରଣରୁ ଇସ୍ତଫା ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଗତ କିଛିମାସ ମଧ୍ୟରେ ରେଳବାଇ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଏବଂ ଭିଡ଼ ହିଂସା ଘଟଣାରେ କମିଶନରେଟ୍ ପୋଲିସ ଅଡୁଆରେ ପଡ଼ିଯାଇଥିଲା। ଏହି ପ୍ରସଙ୍ଗରେ ପୋଲିସକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଇନ ଶୃଙ୍ଖଳାକୁ ନେଇ ବୈଠକ କରି ଡିସିପି ମୀନାଙ୍କୁ କଡ଼ା ତାଗିଦ କରିଥିଲେ। ତେଣୁ ଏହି କାରଣରୁ ହଠାତ୍ ମୀନା ଇସ୍ତଫା ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଇସ୍ତଫା ନେଇ ଡିସିପି ମୀନା କହିଛନ୍ତି, “ପାଖାପାଖି ୧୩ ବର୍ଷର ଚାକିରି କାଳ ପରେ କିଛିଦିନ ପୂର୍ବରୁ ମୁଁ ଇସ୍ତଫା ପତ୍ର ଦାଖଲ କରିଛି। ଏହା ବିଚାରଧୀନ ଅଛି। ବନ୍ଧୁ ଓ ପରିବାର ଲୋକଙ୍କ ସହ କଥା ହୋଇ ବହୁତ ଦିନ ପରେ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ ବ୍ୟକ୍ତିଗତ କାରଣ ରହିଛି। ଏହାକୁ ସମ୍ମାନ ଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ବିଭିନ୍ନ ପଦପଦବୀରେ କାମ କରିଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛନ୍ତି। ଟ୍ରେନିଂ ଆରମ୍ଭରୁ ଗଞ୍ଜାମରେ ତାଙ୍କର କ୍ୟାରିଅର ଆରମ୍ଭ ହୋଇଥିଲା। ସେ କଳାହାଣ୍ଡିରେ SDPO, ମାଲକାନଗିରି, ଅନୁଗୁଳ, ଗଞ୍ଜାମରେ SP ଏବଂ କଟକ ଡିସିପି ଭାବେ କାର୍ଯ୍ୟ କରିଥିଲେ। ଏସବୁ ସୁଯୋଗ ପାଇଁ ସେ ଓଡ଼ିଶାର ଲୋକ ଏବଂ ରାଜ୍ୟ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।
“ମାଓ ବିରୋଧୀ ଅଭିଯାନ, ବିଭିନ୍ନ ମାମଲାରେ ତଦନ୍ତ, ମାନବ ସମ୍ବଳ ପରିଚାଳନା, ପୋଲିସ ପ୍ରଶାସନ, ଆଇନ ଶୃଙ୍ଖଳା ପରିଚାଳନା, ନିର୍ବାଚନ ପରିଚାଳନା ଆଦି ଡ୍ୟୁଟି ମୁଁ କରିଛି। ରାଜ୍ୟ ସରକାର ମୋ ଉପରେ ଭରଷା ରଖି ଏସବୁ ସୁଯୋଗ ଦେଇଥିଲେ। ଓଡ଼ିଶାର ଲୋକ ବହୁତ ଭଲ। ସବୁବେଳେ ଓଡ଼ିଶାର ଲୋକଙ୍କ ସହ କାମ କରିବାକୁ ଭଲପାଏ। ଏଥିପାଇଁ ନିଜକୁ ଗୌରବାନ୍ବିତ ମଧ୍ୟ ଭାବେ। IPSରେ ମୋର ଅଭୁଲା ଅନୁଭୂତି ରହିଛି। ଲୋକମାନଙ୍କ ସେବା କରିବା ପାଇଁ ସୁଯୋଗ ପାଇଛି। ପୋଲିସିଂ ଓ ଲୋକଙ୍କ ସେବାରେ ମୋର ସହଭାଗିତା ରହିଥିବାରୁ ସନ୍ତୁଷ୍ଟି ଅନୁଭବ କରୁଛି,” ବୋଲି ମୀନା କହିଛନ୍ତି।
ରାଜସ୍ଥାନ ବାସିନ୍ଦା ଜଗମୋହନ ମୀନାଙ୍କୁ ୨୦୨୫ ଫେବ୍ରୁଆରୀରେ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱର ଡିସିପି ଭାବେ ନୂଆ ନିଯୁକ୍ତି ଦିଆଯାଇଥିଲା। ୨୦୨୫ ମାର୍ଚ୍ଚ ୫ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବିଦାୟୀ ଡିସିପି ପିନାକ ମିଶ୍ରଙ୍କଠାରୁ ସେ ଏହି ଦାୟିତ୍ୱ ନେଇଥିଲେ।
ସେହି ସମୟରେ ମୀନା କହିଥିଲେ ଯେ, ପୋଲିସ ବିଭାଗ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରି ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ଭୁବନେଶ୍ବର ଗଠନ କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିବ। ଅପରାଧର ତଦନ୍ତ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ। ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହୋଇ ଚାରିଆଡେ ସିସିଟିଭି ସର୍ଭେଲାନ୍ସ ବଢ଼ାଯିବ। ସାଇବର ସୁରକ୍ଷା ଓ ବୟସ୍କଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ରହିବ। ଆଗକୁ ସାଇବର ଥାନାକୁ ମଧ୍ୟ ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
