CrimeFeaturedLatestNews

ଗୋମାଫିଆଙ୍କୁ ସହଯୋଗ କରିବା ଘଟଣାରେ ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଗୋମାଫିଆଙ୍କୁ ସହଯୋଗ କରିବା ଘଟଣାରେ ଜଣେ ପୋଲିସ ଏଏସଆଇ, ଜଣେ କନଷ୍ଟେବଳ ଏବଂ ଜଣେ ହୋମଗାର୍ଡ ଫସି ଯାଇଛନ୍ତି। ଗୋମାଫିଆଙ୍କୁ ପୋଲିସ ରେଡ୍ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିବା ଅଭିଯୋଗରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ଏଏସଆଇ ଓ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ହୋଇଥିବା ପୋଲିସ ଏଏସଆଇ ରଣଜିତ ନାଏକ ଓ କନଷ୍ଟେବଳ ଆଶିଷ ନାଏକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାରେ କାର୍ଯ୍ୟରତ ଥିଲେ। ଦୁଇ ଜଣଙ୍କ ବିରୋଧରେ ଗୋମାଫିଆଙ୍କୁ ସହଯୋଗ କରିଥିବା ପ୍ରମାଣ ଆଧାରରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଗତ ଜୁନ ୧୩ ତାରିଖରେ ପୂର୍ବାଞ୍ଚଳ ଏଡିଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲିଙ୍କ ତତ୍ତ୍ଵାବଧାନରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋମାଫିଆଙ୍କ ଘରେ ରେଡ୍ କରିଥିଲା। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ଝାରପୋଖରିଆ ଥାନା ଓ ବୈଶିଙ୍ଗା ଥାନା ଅଞ୍ଚଳର ଗୋମାଫିଆଙ୍କ ଘରେ ପୋଲିସ ବଡ଼ ଧରଣର ଚଢ଼ାଉ କରିଥିଲା।

ଝାରପୋଖରିଆ ଥାନା ଅଞ୍ଚଳର ଗୋମାଫିଆ ଉତ୍ତମ ଦଣ୍ଡପାଟଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ। ଚଢ଼ାଉ ପୂର୍ବରୁ ଉତ୍ତମ ଦଣ୍ଡପାଟ ନିଜ ଘରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଯାଞ୍ଚ କରାଯିବାରୁ ମାଫିଆ ଫେରାର ହେବା ଘଟଣା ସିସିଟିଭିରେ ଦେଖିବାକୁ ମିଳିଥିଲା।

ଚଢ଼ାଉ ପୂର୍ବରୁ ଗୋମାଫିଆଙ୍କୁ ଖବର ଦେବା ଓ ଫେରାର ହେବାରେ ଝାରପୋଖରିଆ ଥାନାର ଦୁଇ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଝାରପୋଖରିଆ ଥାନା ଏଏସଆଇ ରଣଜିତ ନାଏକ ଓ କନେଷ୍ଟବଳ ଆଶିଷ ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସପି। ଏଥି ସହିତ ଜଣେ ହୋମଗାର୍ଡଙ୍କୁ ବହିଷ୍କୃତ କରିବାକୁ ଚିଠି କରିଛନ୍ତି ଏସପି ବରୁଣ ଗୁଣ୍ଠୁପାଲି।

ବାରିପଦା ଏଏସପି ଦୀପକ ଗୋଚ୍ଛାୟତ କହିଛନ୍ତି, “ଗତ ଜୁନ ୧୩ ତାରିଖ ଦିନ ପୂର୍ବାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଝାରପୋଖରିଆ ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ହେଲେ ସେଠାରେ କିଛି ମିଳି ନଥିଲା। ମାଫିଆଙ୍କୁ ଖସି ପଳାଇବାକୁ କେହି ସାହାଯ୍ୟ କରିଥିବା ସନ୍ଦେହ କରାଯାଇଥିଲା।”

“ପ୍ରାଥମିକ ତଦନ୍ତରୁ ମାଫିଆଙ୍କୁ ଫେରାର କରାଇବାରେ ପୋଲିସ କର୍ମଚାରୀମାନେ ସାହାଯ୍ୟ କରିଥିବା ପ୍ରମାଣ ମିଳିଥିଲା। ସେହିଦିନ ଏଏସଆଇ ରଣଜିତ ନାଏକ, କନଷ୍ଟେବଳ ଆଶିଷ ନାଏକ ଓ ହୋମଗାର୍ଡ ସୁବ୍ରତ ଡ୍ୟୁଟିରେ ନଥିଲେ। ଏହି ତିନି ଜଣ ମାଫିଆଙ୍କୁ ପୂର୍ବରୁ ଚଢ଼ାଉ ସମ୍ପର୍କରେ ସୂଚନା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।”

“ତେଣୁ ଚଢ଼ାଉ ପୂର୍ବରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଏସଆଇ ଓ କନଷ୍ଟେବଳଙ୍କୁ ନିଲମ୍ବିତ ସହ ହୋମଗାର୍ଡଙ୍କୁ ବହିଷ୍କୃତ କରିବାକୁ ମୟୂରଭଞ୍ଜ ଏସପି ଚିଠି କରିଛନ୍ତି।”