CulturalFeaturedLatestNews

ଦୀଘା ଜଗନ୍ନାଥ ଧାମରୁ ଧାମ ବାଦ୍ ଦେବାକୁ ଅନୁରୋଧ କରି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ସ୍ଥିତ ‘ଦୀଘା ଜଗନ୍ନାଥ ଧାମ’ ମନ୍ଦିର କମ୍ପ୍ଲେକ୍ସରୁ ‘ଧାମ’ ଶବ୍ଦ ବାଦ୍ ଦେବାକୁ ସେ ଶ୍ରୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

ଚିଠିର ଆରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଲେଖିଛନ୍ତି, “ଓଡ଼ିଶା ଏବଂ ଓଡ଼ିଶା ବାହାରେ ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ଧାର୍ମିକ ଭାବନା ସହିତ ଜଡ଼ିତ ଏକ ପ୍ରସଙ୍ଗ ପ୍ରତି ଦୃଷ୍ଟି ଆକର୍ଷଣ କରାଇବାକୁ ଚାହୁଁଛି। ପଶ୍ଚିମବଙ୍ଗର ବିଗତ ସରକାରଙ୍କ ଦ୍ବାରା ପୂର୍ବ ମେଦିନାପୁର ଦୀଘାର ଜଗନ୍ନାଥ ମନ୍ଦିର ପରିସରକୁ ‘ଦୀଘା ଜଗନ୍ନାଥ ଧାମ’ ନାମକରଣ କରାଯାଇଛି, ଯାହା ଭକ୍ତ, ଧାର୍ମିକ ବିଦ୍ବାନ ଏବଂ ବିଭିନ୍ନ ସାମାଜିକ-ସାଂସ୍କୃତିକ ସଂଗଠନ ମଧ୍ୟରେ ଯଥେଷ୍ଟ ଚିନ୍ତା ସୃଷ୍ଟି କରିଛି।”

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ସନାତନ ଧର୍ମରେ ଚାରିଟି ପବିତ୍ର ଧାମର ବିଶେଷ ମହତ୍ତ୍ୱ ରହିଛି। ଏହି ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନଗରୀ ଶ୍ରୀଜଗନ୍ନାଥ ଧାମ ପୁରୀ, ଯାହା କୋଟି କୋଟି ସନାତନୀଙ୍କ ଆସ୍ଥାର କେନ୍ଦ୍ର। ପୁରୀର ପବିତ୍ର ଧାମ ସହିତ ‘ଧାମ’ ଶବ୍ଦ ଓତଃପ୍ରୋତ ଭାବରେ ଜଡ଼ିତ ଏବଂ ଏହାର ଅପାର ଆଧ୍ୟାତ୍ମିକ, ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ରହିଛି। ଦୀଘାରେ ନିର୍ମିତ ମନ୍ଦିରର ନାମକରଣ ‘ଦୀଘା ଜଗନ୍ନାଥ ଧାମ’ ରଖାଯିବା କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହିତ ଗଭୀର ଭାବରେ ଜଡ଼ିତ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।

ପୂର୍ବରୁ ଦୀଘା ଜଗନ୍ନାଥ ମନ୍ଦିର ସ୍ଥାପନ ସମୟରେ ଓଡ଼ିଶା ପ୍ରତି ଶୁଭେନ୍ଦୁ ଅଧିକାରୀଙ୍କର ବୁଝାମଣା ଓ ସମର୍ଥନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶା ପ୍ରକଟ କରିଛନ୍ତି ଯେ ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବେ। ପୁରୀର ଶ୍ରୀ ଜଗନ୍ନାଥ ଧାମ ସହିତ ଜଡ଼ିତ ପବିତ୍ରତା ଏବଂ ସ୍ବତନ୍ତ୍ର ପରିଚୟ ବଜାୟ ରଖିବାକୁ ‘ଧାମ’ ଶବ୍ଦ ବାଦ୍ ଦେଇ ‘ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା’ ଭଳି ଏକ ବିକଳ୍ପ ନାମ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଏପରି ପଦକ୍ଷେପ ଭକ୍ତଙ୍କ ଦ୍ୱାରା ପ୍ରଶଂସିତ ହେବ ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହାପୂର୍ବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଚିଠି ଲେଖି ଏହି ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ତତ୍କାଳୀନ ସରକାର ଏଥିରେ କୌଣସି ପଦକ୍ଷେପ ନେଇନଥିଲେ। ଏନେଇ ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, “ପୂର୍ବରୁ ‘ଧାମ’ ଶବ୍ଦ ବାଦ୍ ଦେବାକୁ ଓଡ଼ିଶା ଅନୁରୋଧ କରିଥିଲା, କିନ୍ତୁ ମମତା ସରକାର କର୍ଣ୍ଣପାତ କରିନଥିଲେ। ବର୍ତ୍ତମାନ ନୂଆ ସରକାରରେ ଓଡ଼ିଶାର ଏହି ଦାବି ଦିଗରେ ପଦକ୍ଷେପ ନିଆଯିବ ବୋଲି ଆମେ ଆଶା ରଖୁଛୁ।”