ବିଧାନସଭାରେ କୋକେଇ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ବିଜେଡି ବିଧାୟକ
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀରେ ଆଜି ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏସସିବି ମେଡିକାଲ ଅଗ୍ନିକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ତୀବ୍ର ନାରାବାଜି ଦେଖିବାକୁ ମିଳିଛି। କଂଗ୍ରେସ ଏବଂ ବିଜେଡି ବିଧାୟକମାନେ ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବିରେ ନାରାବାଜି କରିଥିଲେ। ଏହି ପରିସ୍ଥିତିରେ ବାଚସ୍ପତି ସୁରମା ପାଢ଼ୀ ଗୃହକାର୍ଯ୍ୟ ୧୧:୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଗୃହ ମୁଲତବୀ ପରେ ବିରୋଧୀଙ୍କ ଆନ୍ଦୋଳନର ପରିସୀମା ବଢିଥିଲା। ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ପ୍ରତୀକାତ୍ମକ କୋକେଇ ଧରି ଏକ ଶୋଭାଯାତ୍ରା ବାହାର କରିଥିଲେ। ‘ରାମ ନାମ ସତ୍ୟ ହେ’ ନାରାରେ ବିଧାନସଭା ପରିସର ପ୍ରକମ୍ପିତ ହୋଇଥିଲା। ବିରୋଧୀମାନେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବା ଅଭିଯୋଗ ଆଣିଛନ୍ତି।
ଏହି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ସରକାରଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଏହା ଆୟୁଷ୍ମାନ ଯୋଜନା ନୁହେଁ ବରଂ ଶ୍ମଶାନ ଯୋଜନାରେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଏବେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଯାଇଥିବା ବିରୋଧୀଙ୍କ ଅଭିଯୋଗ।
