୨୦ ଫୁଟ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ୍, ୨ ମୃତ
ବାଲେଶ୍ବର (ସଂକେତ ଟିଭି): ୧୬ ନମ୍ବର ଜାତୀୟ ରାଜପଥରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି।
ସୋର ଥାନା ଅନ୍ତର୍ଗତ ତଳନଗର ଓଭର ବ୍ରିଜ ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।
ସୂଚନା ଅନୁଯାୟୀ, ଟ୍ରକଟି ପଶ୍ଚିମବଙ୍ଗର ଚନ୍ଦ୍ରକୋଣାରୁ ଆଳୁ ବୋଝେଇ କରି ପଟ୍ଟାମୁଣ୍ଡାଇ ଯାଉଥିଲା। ଘଟଣା ଖବର ପାଇ ଏନଏଚ ପାଟ୍ରୋଲିଙ୍ଗ ଭ୍ୟାନ ଏବଂ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ସୋର ଡାକ୍ତରଖାନାକୁ ପଠାଇଛି।
ଅନ୍ୟପଟେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଭଦ୍ରକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କୋଲକାତାରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ବସ୍ ଡ୍ରାଇଭରଙ୍କ ନିଦ୍ରା ପ୍ରଭାବ ଯୋଗୁଁ ନିୟନ୍ତ୍ରଣ ହରାଇ ସମ୍ମୁଖରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା।
ଏହି ଧକ୍କା ପରେ ପଛପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ବସ୍କୁ ଧକ୍କା ଦେଇଥିଲା। ଏହି ଶୃଙ୍ଖଳିତ ଧକ୍କାରେ ପିକଅପ୍ ଭ୍ୟାନର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିଲେ।
ଗୁରୁତରମାନଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ବାପ-ପୁଅଙ୍କୁ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ଏବଂ ଆହତମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
