ଏସ୍ସିବି ପ୍ରସଙ୍ଗ: ଅଧିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଏସ୍ସିବି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପ୍ରବଳ ଆକ୍ରୋଶ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ତୀବ୍ର ବର୍ଷିବା ସହ କହିଛନ୍ତି ଯେ ଗତ କିଛି ଦିନ ଧରି ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ବିରୋଧୀ ଦଳ ବିଧାୟକ ଦାବି କରିଛନ୍ତି। କିନ୍ତୁ ସରକାର ଏହି ପ୍ରସଙ୍ଗରେ ଘଣ୍ଟ ଘୋଡାଇବାରେ ଲାଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ମେଡିକାଲ ନ୍ୟାସନାଲ କମିଶନଙ୍କ ଗାଇଡଲାଇନ ଅନୁଯାୟୀ, କୌଣସି ସ୍ଥାନରେ ଭାରପ୍ରାପ୍ତ ଅଧିକ୍ଷକ ରହିପାରିବେ ନାହିଁ। ଯିଏ ଅଧିକ୍ଷକ ହେବେ, ତାଙ୍କର ପାଞ୍ଚ ବର୍ଷର ପ୍ରଫେସର ଭାବରେ ଅଭିଜ୍ଞତା ଥିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ଭାରପ୍ରାପ୍ତ ଅଧିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଗୌତମ ଶତପଥୀଙ୍କର ଏହି ଆବଶ୍ୟକୀୟ ଅଭିଜ୍ଞତା ନାହିଁ। ଅତୀତରେ ନବୀନ ସରକାରରେ ପ୍ରାଇଭେଟ ପ୍ରାକ୍ଟିସ ପାଇଁ ସେ ନିଲମ୍ବିତ ହୋଇଥିଲେ। ତାଙ୍କର ମାତ୍ର ଡେଢ଼ ବର୍ଷର ପ୍ରଫେସର ଅଭିଜ୍ଞତା ରହିଛି। ଏଭଳି ପରିସ୍ଥିତିରେ ସେ କିପରି ନିଯୁକ୍ତି ପାଇଲେ ବୋଲି ବିରୋଧୀ ନେତା ପ୍ରଶ୍ନ କରିଛନ୍ତି।
ଅରୁଣ ସାହୁ ଆହୁରି ଅଭିଯୋଗ କରି କହିଛନ୍ତି ଯେ ଅଧିକ୍ଷକ ଗୌତମ ଶତପଥୀ ବହୁ ଜୁନିୟର୍ ଅଟନ୍ତି। ୬୦ ଜଣ ସିନିୟରଙ୍କୁ ସୁପରସିଡ୍ କରି ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସ୍ପଷ୍ଟ ପ୍ରମାଣ ଯେ ଏହି ସରକାର ନିଯୁକ୍ତି କ୍ଷେତ୍ରରେ ଘୋଟାଲା କରିଛନ୍ତି। ପୂର୍ଣ୍ଣକାଳୀନ ଅଧିକ୍ଷକ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ଯାଇଥିଲା। କିନ୍ତୁ ସେ ଗୌତମ ଶତପଥୀଙ୍କୁ ଭାରପ୍ରାପ୍ତ ଅଧିକ୍ଷକ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅତିରିକ୍ତ ଅଧିକ୍ଷକ ପ୍ରଫେସର ଜ୍ୟୋତିର୍ମୟୀ ନାୟକ ମଧ୍ୟ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁନାହାନ୍ତି ବୋଲି ସେ ଦର୍ଶାଇଛନ୍ତି।
ବିଧାୟକ ଶ୍ରୀ ସାହୁ ଏହାସହ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏସ୍ସିବିର ଓପିଡି ବ୍ଲକ୍ର ରୁମ୍ ନମ୍ବର ୧୦ରେ ସାମାଜିକ ସଂସ୍ଥା ନାଁରେ ଆରଏସଏସ ଅଫିସ ଖୋଲାଯାଇଛି। ପ୍ରତିଦିନ ସେଠାରେ ଆରଏସଏସର କ୍ୟାମ୍ପ ଲାଗୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ଅଧିକ୍ଷକ ଓ ଅତିରିକ୍ତ ଅଧିକ୍ଷକଙ୍କ ଯୋଗ୍ୟତା ନଥାଇ କିପରି ନିଯୁକ୍ତି ପାଇଲେ? ଏହି ଅସଙ୍ଗତି କାହିଁକି? ଏସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ଅଧିକ୍ଷକଙ୍କୁ ତୁରନ୍ତ ଗିରଫ କରାଯାଉ, ନଚେତ୍ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି।
