ବାଧ୍ୟତାମୂଳକ ମତଦାନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ(ସଂକେତ ଟିଭି): ‘ଗଣତାନ୍ତ୍ରିକ ଦେଶରେ ରହୁଥିବା ଏ ଦେଶର ଲୋକେ ୭୫ ବର୍ଷ ଧରି ଏହା ଉପରେ ବିଶ୍ବାସ ରଖି ଆସିଛନ୍ତି। ଆମେ ସମସ୍ତଙ୍କଠାରୁ ଆଶା ରଖିବା କି ସମସ୍ତ ଯାଆନ୍ତୁ ଏବଂ ଭୋଟ ଦିଅନ୍ତୁ। ହେଲେ ଆମେ କାହାକୁ ଜବରଦସ୍ତ କରି ପାରିବୁ ନାହିଁ। ଭୋଟ ଦେବା ପାଇଁ ସଚେତନତାର ଆବଶ୍ୟକତା ରହିଛି’। ଆଜି ଏକ ମାମଲାର ଶୁଣାଣି କରି ଏମିତି କହିଛନ୍ତି ସୁପ୍ରିମକୋର୍ଟ।
ନିର୍ବାଚନରେ ମତଦାନ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଆଗତ ଏକ ଆବେଦନର ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିବା ସହ ଏକଥା କହିଛନ୍ତି। ଏପରି ନିର୍ଦ୍ଦେଶ “ନୀତିର ପରିସର” ମଧ୍ୟରେ ଆସେ ବୋଲି କହିଛନ୍ତି କୋର୍ଟ। ଏଥି ସହିତ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟା ବାଗଚୀ ଏବଂ ଜଷ୍ଟିସ ବିପୁଲ ଏମ ପଞ୍ଚୋଲିଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି ପିଟିଶନର ଅଜୟ ଗୋୟଲଙ୍କୁ ତାଙ୍କର ଅଭିଯୋଗ ଷ୍ଟେକ ହୋଲ୍ଡର୍ସଙ୍କ ପାଖକୁ ନେଇ ଯିବାକୁ କହିଛନ୍ତି।
ଶୁଣାଣି ବେଳେ ସିଜେଆଇ କହିଛନ୍ତି, ‘ଗଣତନ୍ତ୍ରର ଆଇନକୁ ଜବରଦସ୍ତ କାର୍ଯ୍ୟକାରୀ କରାଇ ହୁଏନି ବରଂ ସଚେତନତା ମାଧ୍ୟମରେ କରାଇ ହୁଏ।’ ଖଣ୍ଡପୀଠ ଏହି ଅନିବାର୍ଯ୍ୟ ଭୋଟିଂରେ ଥିବା ବ୍ୟାବହାରିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଖଣ୍ଡପୀଠ କହିଥିଲେ, ‘ମତଦାନ ଦିନ ଜଜଙ୍କ ସମେତ ଅନେକ ଭୋଟରଙ୍କୁ କାମ କରିବାକୁ ପଡ଼ିଥାଏ।’
ସିଜେଆଇ କହିଛନ୍ତି, ‘ଯଦି ଆମେ ଏହାକୁ ମାନିନେବା, ତେବେ ୱାର୍କିଂ ଡେ ହୋଇଥିଲେ ବି ଜଷ୍ଟିସ ବାଗଚିଙ୍କୁ ପଶ୍ଚିମବଙ୍ଗ ଯିବାକୁ ପଡ଼ିବ।’ ଜଷ୍ଟିସ ବାଗଚି କହିଛନ୍ତି, ‘ନ୍ୟାୟିକ କାମ ମଧ୍ୟ ଜରୁରୀ ଅଟେ। ତେଣୁ ଏକ ଗଣତାନ୍ତ୍ରିକ ଦେଶରେ ଆମେ ଆଶା କରିବା ଯେ ସମସ୍ତେ ଯାଆନ୍ତୁ ଏବଂ ଭୋଟ ଦିଅନ୍ତୁ।’
ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ‘ଯଦି କେହି ଭୋଟ ଦେବାକୁ ଯାଉ ନାହାନ୍ତି ତେବେ ନ ଯାଆନ୍ତୁ। ଭୋଟ ଦେବା ପାଇଁ ସଚେତନତାର ଆବଶ୍ୟକତା ଅଛି। ହେଲେ କାହାକୁ ଜବରଦସ୍ତି କରି ପାରିବା ନାହିଁ।’
ଯେଉଁମାନେ ଭୋଟ ଦେଉ ନାହାନ୍ତି ନିର୍ବାଚନ ଆୟୋଗ ସେମାନଙ୍କୁ ମିଳୁଥିବା ସରକାରୀ ସୁବିଧା ବନ୍ଦ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଆବେଦନକାରୀ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସଙ୍ଗରେ କୋର୍ଟ ‘ଘରେ ରହିବା ଅପରାଧ’ ଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ।
ସିଜେଆଇ ପ୍ରଶ୍ନ କରିଥିଲେ, ‘ତେବେ ଆମେ ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ। ଯଦି କେହି ନାଗରିକ ଭୋଟ ଦେଉ ନାହାନ୍ତି ତେବେ ଆମେ କଣ କରି ପାରିବା?’ ଖଣ୍ଡପୀଠ ଆହୁରି କହିଥିଲେ, ‘ଯଦି ଜଣେ ଗରିବ କହିବ ଯେ, ମୋତେ ଆଜି କାମ କରି ରୋଜଗାର କରିବାର ଆବଶ୍ୟକତା ଅଛି। ମୁଁ ଭୋଟ ଦେବାକୁ କେମିତି ଯିବି… ତେବେ ଆମେ ତାଙ୍କୁ କଣ କହିବା ଠିକ ହେବ?’
