FeaturedGeneralLatest

୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଆଗତ, ମହିଳା ସଂରକ୍ଷଣକୁ ପ୍ରାଥମିକତା

ନୂଆଦିଲ୍ଲୀ (ସଂକେତ ଟିଭି): ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହୋଇଛି ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଏହି ୩ଟି ବିଲ୍ ଉପସ୍ଥାପନ କରିଛନ୍ତି।

ମହିଳା ସଂରକ୍ଷଣକୁ ନେଇ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସଂଶୋଧନ ବିଲ୍ ଉପସ୍ଥାପନ ପ୍ରସ୍ତାବ ରଖାଯାଇଛି। ଏହା ସହିତ ଲୋକସଭା ଆସନ ସୀମାପୁନଃନିର୍ଦ୍ଧାରଣ ବିଲ୍ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିୟମ (ସଂଶୋଧନ) ବିଲ୍ ୨୦୨୬ ମଧ୍ୟ ଆଗତ ହୋଇଛି।

ଏହି ତିନିଟି ଯାକ ବିଲ୍ର ଉଦ୍ଦେଶ୍ୟ ହେଲା ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସୁନିଶ୍ଚିତ କରିବା। ବିଲ୍ ଆଗତ ପରେ ସଂସଦରେ ଜୋରସୋର ଚର୍ଚ୍ଚା ଚାଲିଛି।

ତେବେ ଇଣ୍ଡିଆ ମେଣ୍ଟ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ଜୋରଦାର ବିରୋଧ କରିଛି। ଏହା ଦ୍ଵାରା କେତେକ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ଵ ବଢ଼ୁଥିବା ବେଳେ କେତେକ ରାଜ୍ୟର ପ୍ରତିନିଧିତ୍ଵ ହ୍ରାସ ପାଉଥିବା ଇଣ୍ଡିଆ ମେଣ୍ଟ ଅଭିଯୋଗ କରୁଛି। ବିଶେଷ କରି ଦକ୍ଷିଣର ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନେଇଛନ୍ତି, ସେମାନଙ୍କର ପ୍ରତିନିଧିତ୍ଵ ହ୍ରାସ ପାଇବ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ବିଲ୍ ଆଗତ ହେବ କି ନାହିଁ, ତା ଉପରେ ଭୋଟିଂ ହୋଇଥିଲା। ସପକ୍ଷରେ ୨୦୭ ଜଣ ଭୋଟ୍ ଦେଇଥିବା ବେଳେ ବିପକ୍ଷରେ ୧୨୬ ଜଣ ଭୋଟ୍ ଦେଇଛନ୍ତି। ୮୮ ଜଣ ସଂସଦ ସଦସ୍ୟ ଅନୁପସ୍ଥିତ ରହିଥିଲେ।