FeaturedLatestNews

ସମ୍ବିଧାନ ସଂଶୋଧନ ପ୍ରସଙ୍ଗରେ ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସାଂସଦଙ୍କୁ ଏକ ଚିଠି ଲେଖି ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇଛନ୍ତି। ଏହି ଚିଠିରେ ସେ ରାଜନୈତିକ ପ୍ରତିନିଧିତ୍ବ ଓ ଅର୍ଥନୈତିକ ସ୍ବାର୍ଥ କଥା ଉଠାଇ ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ ଓ ସମାନୁପାତିକ ପ୍ରତିନିଧିତ୍ୱ ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଛନ୍ତି।

ପ୍ରସ୍ତାବିତ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯%ରୁ ୩.୪%କୁ ହ୍ରାସ ପାଉଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଯେଉଁ ୬ଟି ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ପାଇବ, ସେଥିରେ ଓଡ଼ିଶାକୁ ୦.୫% କ୍ଷତି ସହିବାକୁ ହେବ। ଏହାକୁ ରାଜ୍ୟ ପାଇଁ ଜାତୀୟ ସ୍ତରରେ କ୍ଷତିକାରକ ବୋଲି ମତ ଦେଇ ସେ କହିଛନ୍ତି ଯେ ଓଡ଼ିଶାବାସୀ ଯେଉଁ ସାଂସଦମାନଙ୍କୁ ସଂସଦକୁ ପଠାଇଛନ୍ତି, ସେମାନେ ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ୱେ ଓଡ଼ିଶାକୁ ଦଣ୍ଡିତ କରାଯାଉନି। କେନ୍ଦ୍ରୀୟ ରାଜସ୍ୱକୁ ବଡ଼ ଅବଦାନ ସତ୍ତ୍ୱେ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନଥିବା ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପାଇବ ନାହିଁ, ତେବେ ସେ ସଂଶୋଧନକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଶେଷରେ ସେ ସଂସଦ ଭିତରେ ଓ ବାହାରେ ଓଡ଼ିଶାର ଅଧିକାର ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ବିସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ମଧ୍ୟ ସେ ଏକ ସ୍ୱତନ୍ତ୍ର ଚିଠି ଲେଖିଥିବା ଉଲ୍ଲେଖ ରହିଛି।