FeaturedLatestNews

ଜଙ୍ଗଲରେ ପଡିଛି ୨ଟି କ୍ଷତାକ୍ତ ଗୋଡ଼, ବାଘ ଆକ୍ରମଣର ଆଶଙ୍କା

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ଦୁଇଟି କ୍ଷତାକ୍ତ କଟା ଗୋଡ଼ ପଡ଼ିଥିବା ଦେଖିବାକୁ ମିଳିଛି। ଶରୀରର ଅବଶିଷ୍ଟ ଅଂଶ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ଘଟଣାସ୍ଥଳର ଦୃଶ୍ୟ ଦେଖି ମହାବଳ ବାଘ କୌଣସି ବ୍ୟକ୍ତିଙ୍କୁ ଶିକାର କରି ମାରି ଖାଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଲୋକେ ଗୋଡ଼ ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ ଅଧିକାରୀ ଓ ଯଶୀପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ବାଘଟି ମଣିଷ ଶିକାର କରିଥିବା ଅନୁମାନ କରାଯାଉଛି। ଶରୀରର ଅଧା ଅଂଶ ବାଘ ଖାଇ ଦେଇଥିବା ବେଳେ କେବଳ ଗୋଡ଼ ଦୁଇଟି ରହିଯାଇଛି।

ମୃତକ ଯଶୀପୁର ଥାନା ଅନ୍ତର୍ଗତ ବସନ୍ତପୁର ଗାଁର ସାଧୁ ନାଏକ ବୋଲି ଅନୁମାନ କରାଯାଉଛି। ଗତ ରବିବାର ସକାଳେ ସେ ନିଜ ଛେଳିଙ୍କ ପାଇଁ ପତ୍ର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସୋମବାର ସକାଳେ ଗ୍ରାମବାସୀମାନେ ଜଙ୍ଗଲରେ ତାଙ୍କର ଦୁଇଟି କଟା ଗୋଡ଼ ଓ ଏକ ରକ୍ତାକ୍ତ ଲୁଙ୍ଗି ପଡ଼ିଥିବାର ଦେଖିଥିଲେ। ଲୁଙ୍ଗି ଦ୍ବାରା ମୃତକ ସାଧୁ ନାଏକ ବୋଲି ଅନୁମାନ କରାଯାଉଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନଖଣ୍ଡ ଉପ ନିର୍ଦ୍ଦେଶକ ରମେଶ କୁମାର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ମୃତ୍ୟୁର ସଠିକ କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ କୌଣସି ବନ୍ୟପ୍ରାଣୀର ପାଦଚିହ୍ନ କିମ୍ବା ନିର୍ଣ୍ଣାୟକ ପ୍ରମାଣ ମିଳିନାହିଁ। ମୃତଦେହ ଚିହ୍ନଟ ପାଇଁ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଛି। ଅଧିକ ତଦନ୍ତ ଜାରି ରହିଛି।