ଅଖା ଭିତରୁ ଉଦ୍ଧାର ହେଲା ନିଖୋଜ ଛାତ୍ରୀଙ୍କ ମୃତଦେହ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କରଞ୍ଜିଆ ଏନଏସି ୱାର୍ଡ ନମ୍ବର ୧୫ ବଣସାହି ନିକଟରେ ଏକ ଅଖା ଭିତରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହୋଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।
ମୃତ ଛାତ୍ରୀ ଜଣକ କରଞ୍ଜିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୮ମ ଶ୍ରେଣୀରେ ପଢୁଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାରେ କରଞ୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ବଣସାହିରେ ଥିବା ବନ ବିଭାଗ କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ମୂଳରୁ ମିଳିଛି ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ମୃତଦେହ । ନିଖୋଜ ନାବାଳିକାଙ୍କ ଘର କରଞ୍ଜିଆ ବଣସାହିରେ ହୋଇଥିବା ବେଳେ, ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ପଡିଛି ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ମୃତଦେହ । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ଶୁକ୍ରବାର ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର ଲୋକେ । ତେବେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
