FeaturedLatestNews

ରୁକୁଣା ରଥଯାତ୍ରା ଓ ରାମନବମୀ ଯୋଗୁଁ ୩ ଦିନ ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ୱର (ସଂକେତ ଟିଭି): ବଜେଟ୍ ଅଧିବେଶନ ଚାଲିଥିବା ବେଳେ ବିଧାନସଭାକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ରୁକୁଣା ରଥଯାତ୍ରା ଓ ରାମନବମୀ ସହ ଶନିବାର ଓ ରବିବାର ଛୁଟି ଯୋଗୁଁ ଗୃହ କାର୍ଯ୍ୟ ତିନି ଦିନ ପାଇଁ ସ୍ଥଗିତ ରହିଛି।

ଗୁରୁବାର ଆରମ୍ଭ ହୋଇଥିଲା କାର୍ଯ୍ୟଦିବସ। ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଯୋଗୁଁ ପ୍ରଥମେ ସାଢେ ୧୧ ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ବିରୋଧୀଙ୍କ ପ୍ରଦର୍ଶନ ଥମିନଥିଲା। ଏପରିକି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ ମଧ୍ୟ କରିଥିଲେ। ଏହି ସବୁ ଘଟଣା ମଧ୍ୟରେ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଗୁରୁବାର (ଆଜି) ରୁକୁଣା ରଥଯାତ୍ରା ପାଇଁ ଅଧାରୁ ବିଧାନସଭା ବନ୍ଦ ରହିଛି। ଶୁକ୍ରବାର ରାମନବମୀ ପାଇଁ ବନ୍ଦ ରହିବ। ସେହିପରି ୨୮ ତାରିଖରେ ମାସର ଶେଷ ଶନିବାର ଥିବାରୁ ବିଧାନସଭା କାର୍ଯ୍ୟଦିବସ ବନ୍ଦ ରହିବ। ଏହାପରେ ରବିବାର ଛୁଟି। ସର୍ବମୋଟ ତିନି ଦିନ ବିଧାନସଭା ବନ୍ଦ ରହିବ।