FeaturedLatestNews

ଏପ୍ରିଲ୍ ମାସରେ ହେବ ମଦ ଦୋକାନ ପାଇଁ ଲଟେରୀ

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ଏପ୍ରିଲ୍ ୧ ତାରିଖରୁ ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଏପ୍ରିଲ୍ ମାସରେ ମଦ ଦୋକାନ ପାଇଁ ଲଟେରୀ ଆୟୋଜନ କରାଯିବ। ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଲଟେରୀ ପ୍ରକ୍ରିୟା ସମ୍ପନ୍ନ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଇଲେକ୍ଟ୍ରୋନିକ୍ସ ଲଟେରୀ ମାଧ୍ୟମରେ ସ୍ୱଚ୍ଛ ପ୍ରକ୍ରିୟା ସୁନିଶ୍ଚିତ କରାଯିବ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଗତଥର ଲଟେରୀ ଜରିଆରେ ଯେଉଁ ଦୋକାନଗୁଡ଼ିକ ବାଛି ହୋଇଥିଲେ, ସେମାନଙ୍କର ସମୟସୀମା ମାର୍ଚ୍ଚ ୩୧ ତାରିଖରେ ସରିବ। ତେବେ ସେମାନଙ୍କୁ ଅଧିକ ଦୁଇ ମାସ ସମୟ ଦିଆଯିବ। ୩ ଷ୍ଟାରରୁ ଅଧିକ ହୋଟେଲରେ ବାର୍ ର ବ୍ୟବସ୍ଥା ଥିବାରୁ ସେମାନଙ୍କୁ ଅନ୍ ସପ୍ ଅନୁମତି ମିଳିବ। ତେବେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ପୂର୍ବରୁ ଥିବା ସମସ୍ତ ଅଫ୍ ସପ୍ ଗୁଡ଼ିକର MGER ନିର୍ଦ୍ଧାରଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ଏପ୍ରିଲ୍ ୧, ୨୦୨୬ରୁ ମାର୍ଚ୍ଚ ୩୧, ୨୦୨୯ ପର୍ଯ୍ୟନ୍ତ ତିନିବର୍ଷିଆ ନୂତନ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ଏହି ନୂଆ ନୀତିରେ ରାଜ୍ୟରେ କୌଣସି ନୂଆ ଅଫ୍ ସପ୍, ଦେଶୀ ମଦ କିମ୍ବା ଆଉଟ୍-ଷ୍ଟିଲ୍ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଗ୍ରାମାଞ୍ଚଳରେ ମଧ୍ୟ ନୂଆ ‘ଅନ୍ ସପ୍’ ଦୋକାନ ଖୋଲିବ ନାହିଁ।

ନୂଆ ଅବକାରୀ ନୀତିରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବରେ ଚିହ୍ନଟ କରି ପ୍ରଥମଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍’ ଲାଗୁ କରାଯାଇଛି। ଏହି ସେସରୁ ଆସୁଥିବା ଆୟକୁ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ। ସେହିପରି ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବୃଦ୍ଧି କରାଯିବା ସହ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। IMFL ଓ ଦେଶୀ ମଦ (CL) ଉପରେ ମଧ୍ୟ ଅବକାରୀ ଶୁଳ୍କ ବୃଦ୍ଧି କରାଯାଇଛି।

ଏହି ନୂତନ ନୀତିରେ ରାଜ୍ୟ ସରକାର ଉତ୍ତର ପ୍ରଦେଶ ଷ୍ଟାଇଲରେ MGQ (ମ୍ୟାକ୍ସିମମ୍ ଗ୍ୟାରେଣ୍ଟେଡ୍ କ୍ବାଲିଟି) ପ୍ରଣାଳୀକୁ ହଟାଇ MGER (ମନିମମ୍ ଗ୍ୟାରେଣ୍ଟେଡ୍ ଏକ୍ସାଇଜ୍ ରେଭନ୍ୟୁ) ପ୍ରଣାଳୀକୁ ଆପଣାଇଛନ୍ତି। ଏହା ଦ୍ବାରା ସରକାରୀ ରାଜସ୍ଵ ସୁରକ୍ଷିତ ହେବା ସହିତ ବ୍ୟବସାୟୀମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ। ଏହା “କୁଚିଆ” ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ।

ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ରହିବ ନାହିଁ। ସମଗ୍ର ରାଜ୍ୟରେ ମଦର ହୋମ୍ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ଆଉଟ୍ ଷ୍ଟିଲ୍ ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ।

ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ଦିଆଯିବ। ସରକାର ENA ଗତିବିଧି ନିରୀକ୍ଷଣ ଏବଂ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ ଟ୍ରାକ୍ ଆଣ୍ଡ ଟ୍ରେସ୍ ପ୍ରଣାଳୀ ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ ସିସିଟିଭି ନିରୀକ୍ଷଣ ଅଧୀନରେ ଆଣାଯିବ। ଏସବୁକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଗ କରାଯିବ। ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନତ କରାଯିବ।