LatestNews

ଥାର ଗାଡ଼ି ଧକ୍କାରେ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ, ୫ ଗୁରୁତର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଖନ୍ତାପଡ଼ା ବଜାର ନିକଟ ଖୁସି ହୋଟେଲ ସମ୍ମୁଖରେ ଆଜି ଏକ ଦ୍ରୁତଗାମୀ ଥାର ଗାଡ଼ି ଏକ ଅଟୋକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକ ଶିଶୁ କନ୍ୟା ହେଉଛି ଆଶ୍ରିତା ମହାଳିକଙ୍କ ସାନ ଝିଅ ‘ସ୍ତୁତି’। ଏଥିସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ: ମାଆ ଆଶ୍ରିତା ମହାଳିକ, ଯାଆ ସୁମିତ୍ରା ମହାଳିକ, ବାସନ୍ତୀ ପ୍ରଧାନ, ବଡ଼ ଝିଅ ସୃତି ମହାଳିକ ଏବଂ ଅଟୋ ଡ୍ରାଇଭର ସପନ କୁମାର ରାଉଳ।

ଅଟୋରେ ସୋରରୁ ଏକ ଫାଇନାନ୍ସ କମ୍ପାନୀରୁ ଋଣ ନେଇ ଘରକୁ ଫେରୁଥିଲେ ୩ ଜଣ ମହିଳା। ଥାର ଗାଡ଼ି ଅଟୋର ପଛକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଗୁରୁତର ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି।

ଆହତ ସମସ୍ତେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚକଜଗନ୍ନାଥପୁର ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଥାର ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ତାର ଘର ଔପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାହା ନେଇ ଖନ୍ତାପଡ଼ା ପୋଲିସ ତଦନ୍ତ ଜାରି ରଖିଛି।