LatestNews

ଦୁଇଟି ଚିମ୍ନି ଇଟା ଭାଟିକୁ ଭାଙ୍ଗିଲା ବାଲେଶ୍ବର ଜିଲ୍ଲା ପ୍ରଶାସନ

ବାଲେଶ୍ବର (ସଂକେତ ଟିଭି): ଅବୈଧ ଇଟା ଭାଟି ଉପରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଧାରା ୧୬୩ BNSS ଉଲ୍ଲଂଘନ କରିଥିବା ଦୁଇଟି ଚିମ୍ନି ଇଟା ଭାଟିକୁ ଭଙ୍ଗାଯାଇଛି। ଏଗୁଡ଼ିକ ହେଲା—ବେଗୁନିଆ ଛକ, ହରିପୁର (ରେମୁଣା ତହସିଲ) ସ୍ଥିତ ଗୋଲଡ୍ ବ୍ରିକସ୍ ଏବଂ ନଗ୍ରମ୍ ଆରଆଇ ସର୍କଲ, ମୌଜା କାଳୀପୁର (ସଦର ତହସିଲ) ସ୍ଥିତ ଷ୍ଟିଲ ବ୍ରିକସ୍ ।

ନିଷେଧ ସତ୍ତ୍ୱେ ଇଟା ପୋଡ଼ା କାର୍ଯ୍ୟ ଚାଲୁ ରଖି ଏହି ଭାଟିଗୁଡ଼ିକ ଭାରୀ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିଲେ। ଉପଜିଲ୍ଲାପାଳ, ବାଲେଶ୍ୱରଙ୍କ ଆଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ନିଜେ ଏହି ଅଭିଯାନର ନେତୃତ୍ୱ ନେଇଥିଲେ। ଏଥିରେ ରେମୁଣା ଓ ସଦର ତହସିଲଦାର, ପୋଲିସ ଏବଂ ଫାୟାର ଟିମ୍ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରାୟ ୧,୦୦,୦୦୦ (ଏକ ଲକ୍ଷ) ପକା ଓ କଚ୍ଚା ଇଟାକୁ ନଷ୍ଟ କରାଯାଇଛି। ଏଥିସହିତ ଗୋଟିଏ ଚିମ୍ନିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି।

ଏପରି ଉଲ୍ଲଂଘନ ଉପରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ସଚେତନ କରିଛି।