ଆରମ୍ଭ ହେଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି
ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ପାଇଁ ଆଉ ଏକ ଐତିହାସିକ ଦିନ। ୧୯୭୮ ପରେ ଦୀର୍ଘ ୪୮ ବର୍ଷ ପରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି। ସ୍ନାନଯାତ୍ରା ପୂର୍ବରୁ ଏହି ଗଣତି ମଣତି ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ରତ୍ନଅଳଙ୍କାର ଗଣତି ମଣତି ନେଇ ଟିମ୍ ଶ୍ରୀମନ୍ଦିରକୁ ପ୍ରବେଶ କରିଛି।
ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ମନ୍ଦିର କାର୍ଯ୍ୟାଳୟରୁ ମୁଖ୍ୟ ପ୍ରଶାସକ, ଜଷ୍ଟିସ୍ ବିଶ୍ୱନାଥ ରଥ, ପୁରୀ ଜିଲ୍ଲାପାଳ, ଏସ୍ପି ଏବଂ ଟିମ୍ ସଦସ୍ୟମାନେ ସିଂହଦ୍ଵାର ନିକଟରେ ଦଣ୍ଡବତ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି କରାଯିବ।
ପାରମ୍ପାରିକ ପୋଷାକ ପିନ୍ଧି ଅଧିକାରୀ ଓ ଟିମ୍ ସଦସ୍ୟମାନେ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିଛନ୍ତି। ସେବାୟତମାନେ କହିଛନ୍ତି ଯେ ସନ୍ଧ୍ୟା ୫ଟା ଯାଏଁ ଗଣତି ଚାଲିବ। ଗଣତି ମଣତି ପରେ ସବିଶେଷ ତଥ୍ୟ ପ୍ରଦାନ କରିବେ ମନ୍ଦିର କର୍ତ୍ତୃପକ୍ଷ।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, “ନିଷ୍ଠାର ସହ ସମର୍ପଣ ଭାବ ନେଇ ଆମେ ଏହି ଦିବ୍ୟ କାର୍ଯ୍ୟରେ ସାମିଲ ହେବୁ। ସମସ୍ତେ ଗୋପନୀୟତା ରକ୍ଷା କରିବେ। ମହାପ୍ରଭୁଙ୍କ କାମ ଠିକ୍ ସମୟରେ ସାରିବାକୁ ଆମେ ଚେଷ୍ଟା କରିବା। ଆଜିର କାର୍ଯ୍ୟକ୍ରମ ସରିବା ପରେ ଆମେ ସମସ୍ତ ସୂଚନା ଦେବୁ। ଗଣମାଧ୍ୟମକୁ ମୁଁ କୃତଜ୍ଞତା ଜଣାଉଛି, ସେମାନଙ୍କ ଜରିଆରେ ଠିକ୍ ସୂଚନା ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚୁ ବୋଲି କାମନା କରୁଛି।”
ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ 3D ମ୍ୟାପିଂ, ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଗଣନା ପ୍ରକ୍ରିୟାର ପ୍ରତ୍ୟେକ ପଦକ୍ଷେପକୁ ଡକ୍ୟୁମେଣ୍ଟେସନ୍ କରିବ। ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ପାଇଁ ଏହି ଦିନମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ।
ଆଜି ବାହାର ଭଣ୍ଡାରରୁ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନାବେଶ ଓ ବିଭିନ୍ନ ପୂଜା ପର୍ବାଣୀରେ ବ୍ୟବହୃତ ଅଳଙ୍କାର ବାହାର ଭଣ୍ଡାରରେ ଗଚ୍ଛିତ ହୋଇ ରହିଛି। ଏହି ସବୁ ସେଠାରୁ ବାହାର କରାଯାଇ ରତ୍ନ ଭଣ୍ଡାରରେ ରହିବ। ଶହେ ବର୍ଷ ଯାଏଁ କେମିତି ସୁନାଅଳଙ୍କାର ସୁରକ୍ଷିତ ରହିବ ସେନେଇ ବ୍ୟବସ୍ଥା କରାଯିବ।
‘ରତ୍ନ ପଲଙ୍କ’କୁ ନେଇ ଶ୍ରୀମନ୍ଦିରର ସେବାୟତ କହିଛନ୍ତି, “ତିନି ଠାକୁରଙ୍କ ପାଇଁ ତିନୋଟି ନୂତନ ‘ରତ୍ନପଲଙ୍କ’ ନିର୍ମାଣ କରାଯାଇଛି। ପଣା ସଂକ୍ରାନ୍ତି ଦିନ ଏଗୁଡ଼ିକୁ ସଂସ୍କାର କରାଯାଇ ମହାପ୍ରଭୁଙ୍କ ସେବାରେ ଲାଗିବ।”
