FeaturedGeneralLatest

ଆମେରିକା-ଇରାନ ଆଲୋଚନା ବିଫଳ, ଖାଲି ହାତରେ ଫେରିଲା ଆମେରିକା

ଇସଲାମାବାଦ (ସଂକେତ ଟିଭି): ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ଆମେରିକା-ଇରାନ ଆଲୋଚନା ବିଫଳ ହୋଇଛି। କୌଣସି ନିଷ୍କର୍ଷରେ ପହଞ୍ଚି ନପାରି ଆମେରିକା ଖାଲି ହାତରେ ଫେରିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, କୌଣସି ଚୁକ୍ତି ହୋଇନାହିଁ। ଏହା ଇରାନ ପାଇଁ ବହୁତ ଖରାପ ଖବର। ଆମେ ବିନା ଚୁକ୍ତିରେ ଆମେରିକା ଫେରିଯାଉଛୁ।

ଆମେରିକାର ମୁଖ୍ୟ ସର୍ତ୍ତ ଥିଲା ଯେ ଇରାନ ଆଣବିକ ଅସ୍ତ୍ର ପାଇବାକୁ ସବୁ ଉଦ୍ୟମ ପ୍ରତ୍ୟାହାର କରୁ। କିନ୍ତୁ ଇରାନ ଏହାକୁ ଗ୍ରହଣ କରି ନାହିଁ। ଜେଡି ଭାନ୍ସ କହିଛନ୍ତି, ଆମେରିକା ଇରାନଠାରୁ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରତିଶ୍ରୁତି ଚାହୁଁଛି। ଆକ୍ରମଣରେ ଇରାନର ନ୍ୟୁକ୍ଲିୟର କେନ୍ଦ୍ରଗୁଡ଼ିକ ଧ୍ୱଂସ ହୋଇଛି। ଭବିଷ୍ୟତରେ ଇରାନ ଆଣବିକ କାର୍ଯ୍ୟକ୍ରମ ନ କରିବା ପାଇଁ ଏକ ଦୀର୍ଘକାଳୀନ ପ୍ରତିଶ୍ରୁତି ଦାବି କରୁଛି ଆମେରିକା।

ତେବେ ଇରାନ କହିଛି ଯେ, ଆମେରିକା ଅତ୍ୟଧିକ ଦାବି ରଖୁଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଲ ବକାଇ କହିଛନ୍ତି, ଗଭୀର ଭାବେ ଆଲୋଚନା ହେଲା, କିନ୍ତୁ ଏହାର ସଫଳତା ବିରୋଧୀ ପକ୍ଷଙ୍କ ଉଦ୍ଦେଶ୍ୟ ଉପରେ ନିର୍ଭର କରୁଛି। ଅତ୍ୟଧିକ ଦାବି ନକରି ଇରାନର ବୈଧ ଅଧିକାରକୁ ଧ୍ୟାନରେ ରଖିବାକୁ ଇରାନ ଅପିଲ କରିଛି। ହର୍ମୁଜ ପ୍ରଣାଳୀ, ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଯୁଦ୍ଧ ସମ୍ପୂର୍ଣ୍ଣ ଶେଷ କରିବା ନେଇ ଆଲୋଚନା ହୋଇଥିବା ଇରାନ କହିଛି।