ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାରା ଓଡ଼ିଶା ତାଙ୍କୁ ଶ୍ରଦ୍ଧାରେ ସ୍ମରଣ କରିଛି। ରାଜ୍ୟର ସବୁ ସ୍ଥାନରେ ବିଜୁ ବାବୁଙ୍କ ପ୍ରତି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନବୀନ କହିଛନ୍ତି, “ଆଜି ଆମର ପ୍ରିୟ ନେତା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି। ବିଜୁ ବାବୁଙ୍କର ସବୁଠାରୁ ବଡ଼ ପରିଚୟ ହେଉଛି ସେ ଜଣେ ମହାନ ଦେଶଭକ୍ତ। ତାଙ୍କ ଦେଶଭକ୍ତି, ସାହସ ଓ ସ୍ୱାଭିମାନ ପାଇଁ ସେ ଅମର।”
ନବୀନ ଆହୁରି କହିଛନ୍ତି, “ବିଜୁ ବାବୁ ଥିଲେ ଆକାଶ ପରି ବିଶାଳ, ମାଟି ପରି ସହିଷ୍ଣୁ ଏବଂ ହିମାଳୟ ପରି ତୁଙ୍ଗ। ପ୍ରବାଦ ପୁରୁଷଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ।”
ଏହି ଅବସରରେ ନବୀନ ତୀକ୍ଷ୍ଣ ଟିପ୍ପଣୀ କରି କହିଛନ୍ତି, “ଓଡ଼ିଶା ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି। ସେମାନେ ମନେ ରଖିବା ଉଚିତ, କୌଣସି ମୁଖା ବେଶୀ ଦିନ ପର୍ଯ୍ୟନ୍ତ ସେମାନଙ୍କର ପାପକୁ ଲୁଚାଇ ପାରିବ ନାହିଁ। ଲୋକମାନେ ଜାଣନ୍ତି କିଏ କ’ଣ।”
ନବୀନ ଆହୁରି କହିଲେ, “ଓଡ଼ିଶା କ୍ରମାଗତ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହୋଇଛି। ଏବେ ଡିଲିମିଟେସନ ବିଲ୍ ଓଡ଼ିଆଙ୍କ ରାଜନୈତିକ ପରିଚୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ। ଆମ ପ୍ରିୟ ଓଡ଼ିଶା ପାଇଁ ସମସ୍ତେ ଏକାଠି ଲଢ଼ିବାର ସମୟ ଆସିଛି।”
