ବିଧାନସଭା ପରିସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାରା ଓଡ଼ିଶା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।
ତାଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ସମୃଦ୍ଧ ଓଡ଼ିଶା ନେଇ ବିଜୁ ବାବୁ ଦେଖିଥିବା ଅଧୁରା ସ୍ୱପ୍ନକୁ ଆମ ସରକାର ସାକାର କରିବାକୁ ଯାଉଛି।”
ସେ ଆହୁରି କହିଲେ ଯେ ବିଜୁ ବାବୁ ଜଣେ ସଂଗ୍ରାମୀ ଓ ସାହସୀ ପାଇଲଟ୍ ଥିଲେ। ଓଡ଼ିଶା ଓ ଓଡ଼ିଆ ଜାତିକୁ ଭଲ ପାଉଥିବା ଶ୍ରେଷ୍ଠ ରାଜନେତା ହେଉଛନ୍ତି ବିଜୁ ବାବୁ। ନିଜର ସ୍ୱାଭିମାନ ଓ ଓଡ଼ିଶା ମାଟି ପାଇଁ ସେ ସର୍ବଦା କାମ କରୁଥିଲେ। କୌଣସି ପରିସ୍ଥିତିରେ ବିଜୁ ବାବୁ ଓଡ଼ିଆଙ୍କ ସମ୍ମାନ, ସ୍ୱାଭିମାନକୁ ନେଇ ସାଲିସ କରିବାକୁ ଦେଉ ନଥିଲେ। ବିଜୁ ସମୃଦ୍ଧ ଓଡ଼ିଶା ସ୍ୱପ୍ନ ଦେଖିଥିଲେ ଓ ସଂକଳ୍ପ ନେଇ କାମ କରୁଥିଲେ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସରକାର ସମୃଦ୍ଧ ଓଡ଼ିଶା ଗଠନ ନେଇ କାମ ଆରମ୍ଭ କରିସାରିଛନ୍ତି। ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ପୂର୍ଣ୍ଣ କରିବାର ସଂକଳ୍ପ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି। ସାରା ରାଜ୍ୟରେ ବିଜୁ ବାବୁଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି।
