FeaturedLatestNews

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’: ୫୬ ଯୋଡିଙ୍କ ସାମୂହିକ ବିବାହ

ବାଲେଶ୍ବର (ସଂକେତ ଟିଭି): ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ, ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ କାର୍ଯ୍ୟକାରୀ ସଂସ୍ଥା ‘ସ୍ପିଡ୍’ ଓ ସୋରୋ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ କାର୍ଯ୍ୟକ୍ରମ ଆଜି ବାଲେଶ୍ୱରର ପଦ୍ମାବତୀ ପାର୍କଠାରେ ଅତି ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ସଭନା ମହାନ୍ତି, ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମ ଲୋଚନ ପଣ୍ଡା, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଏବଂ ଜିଲ୍ଲାପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି, ‘ସ୍ପିଡ୍’ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ ଏବଂ ସମାଜସେବୀ ଶ୍ରୀମତୀ ଗୋପାମୁଦ୍ରା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମାଜର ଅନଗ୍ରସର ବର୍ଗର ବିବାହ ସମ୍ବନ୍ଧୀୟ ଆର୍ଥିକ ବୋଝ ହ୍ରାସ କରିବା ସହ ମହିଳାଙ୍କ ସ୍ୱାଭିମାନ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ଏହା ବିଧବା ପୁନର୍ବିବାହକୁ ପ୍ରୋତ୍ସାହନ ଦେବା ସହ ଯୌତୁକ ପ୍ରଥା ନିରାକରଣ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଯୋଜନା ଅନୁସାରେ ଝିଅଙ୍କ ବୟସ ୧୮ରୁ ୩୫ ବର୍ଷ ଓ ପୁଅଙ୍କ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ ୫୬ ଜଣ ବର-କନ୍ୟା ଯୋଡ଼ି ଆଜିର କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ ୫୩ ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ ୩ ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ।

ବର ଓ କନ୍ୟାଙ୍କ ସଜବାଜ ପାଇଁ ଅଲଗା କକ୍ଷ ବ୍ୟବସ୍ଥା କରାଯାଇଥିବା ସହ ଉଭୟ ପକ୍ଷରୁ ୫ ଜଣ ଲେଖାଏଁଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ୧୫ ଜଣ ବ୍ରାହ୍ମଣଙ୍କ ଦ୍ୱାରା ୧୫ଟି ବିବାହ ବେଦୀରେ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା।

ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫,୦୦୦ ଟଙ୍କା ଜମା କରାଯିବା ସହିତ ମୋଟ ୬୦,୦୦୦ ଟଙ୍କା ବ୍ୟୟରେ ଗୋଟିଏ ବିବାହ ସମ୍ପନ୍ନ କରାଯାଇଛି। ଏହି କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ହେମନ୍ତ କୁମାର ସିଂହ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।