ରାଜ୍ୟରେ ଘଟିଥିବା ସମସ୍ତ ହାଜତ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ଥାନାରେ ପୋଲିସର ‘ଥାର୍ଡ ଡିଗ୍ରୀ’ ଅଭିଯୋଗ ବଢ଼ି ଚାଲିଥିବା ବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। ବିଶେଷକରି ଥାନା ହାଜତ ମୃତ୍ୟୁ ଘଟଣାରେ ପୋଲିସର ଭୂମିକାକୁ ନେଇ ପ୍ରଦେଶ କଂଗ୍ରେସ ପ୍ରଶ୍ନ ଉଠାଇଛି। ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ। ଏହି ଅବସରରେ ରାଜ୍ୟରେ ଘଟିଥିବା ସମସ୍ତ ହାଜତ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଗେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡ଼ିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ହାଜତ ମୃତ୍ୟୁକୁ ନେଇ ପୋଲିସର ଭୂମିକା ସନ୍ଦେହଜନକ, ତେଣୁ ଏହାର ନ୍ୟାୟିକ ତଦନ୍ତ ଜରୁରୀ। “ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ଆଇନ ଶୃଙ୍ଖଳା ସ୍ଥିତି ତଳମୁହାଁ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା ଗ୍ରହଣୀୟ ହେଉନାହିଁ। ରାଜ୍ୟରେ ଗୋଷ୍ଠୀଗତ ଅପରାଧ, ଜାତୀୟ ହିଂସା ବୃଦ୍ଧି ପାଇଛି। ଏବେ ହାଜତ ମୃତ୍ୟୁକୁ ନେଇ ସବୁଆଡ଼େ ଚର୍ଚ୍ଚା। ବାରଙ୍ଗ, କବିସୂର୍ଯ୍ୟନଗର ଭଳି ଏକାଧିକ ଥାନାରେ ହାଜତରେ ଅକଥନୀୟ ନିର୍ଯାତନା ବୃଦ୍ଧି ପାଉଥିବାର ଘଟଣା ସାମ୍ନାକୁ ଆସୁଛି,” ବୋଲି ନଗେନ୍ଦ୍ର ପ୍ରଧାନ କହିଛନ୍ତି।
ସେହିପରି କଂଗ୍ରେସ ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ କହିଛନ୍ତି, “ରାଜ୍ୟରେ ଏକାଧିକ ଥାନାରେ ଥାର୍ଡ ଡିଗ୍ରୀ ପ୍ରସଙ୍ଗ ଏବେ ପୋଲିସର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି। ଜଣେ ଥାନାକୁ ଗଲେ ୨୪ ଘଣ୍ଟା ପରେ କୋର୍ଟ ଚାଲାଣ ହେବା କଥା, କିନ୍ତୁ କାହିଁକି ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ରଖି ଅତ୍ୟାଚାର କରୁଛି?” ତାଙ୍କ ପ୍ରଶ୍ନ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଗଭୀର ସନ୍ଦେହ ସୃଷ୍ଟି କରିଛି।
