ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁଠି ଜଳଖିଆ ଖର୍ଚ୍ଚ ୮ ଟଙ୍କା ଥିଲା, ତାହାକୁ ବଢ଼ାଇ ୧୨ ଟଙ୍କା କରାଯାଇଛି।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ଅନ୍ତର୍ଗତରେ ଏଣିକି ଅଣ୍ଡରୱେଟ ଶିଶୁମାନଙ୍କୁ ଦୈନିକ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିୟର ଅଣ୍ଡରୱେଟ୍ ଅଛନ୍ତି। ସେମାନଙ୍କ ପାଇଁ ୧୨୬ କୋଟି ୮୩ ଲକ୍ଷ ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବହନ କରିବେ।
ଅଙ୍ଗନବାଡ଼ିରେ ଥିବା ଶିଶୁମାନଙ୍କୁ ପୂର୍ବରୁ ଟଙ୍କେ ୨୪ ପଇସା ଦିଆଯାଉଥିବା ବେଳେ ଏବେ ସେମାନଙ୍କୁ ୩ ଟଙ୍କା ୫୬ ପଇସା ଦିଆଯିବ।
ଏହାସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଏକ ଡିଜିଟାଲ ବୁକଲେଟ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉନ୍ମୋଚନ କରିଛନ୍ତି। ଏହି ବୁକଲେଟ୍ରେ ମାଆ ପେଟରେ ୨୭୦ ଦିନ ଏବଂ ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୋଷଣର ସମ୍ପୂର୍ଣ୍ଣ ତଥ୍ୟ ରହିଛି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଆମାନେ ଏହି ବୁକଲେଟ୍ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ। ଏହା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଭାଗ ମିଶନ ମୋଡ଼ରେ କାମ କରୁଛି। ଅଣ୍ଡରୱେଟ ଶିଶୁଙ୍କୁ ଚିହ୍ନିବା ଓ ଚିକିତ୍ସା କରାଇବାରେ ବିଭାଗର ସକ୍ରିୟତାକୁ ଉପମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
