FeaturedGeneralLatest

‘ଖାନ୍ ସାର’ଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ

ପାଟନା (ବିହାର)(ସଂକେତ ଟିଭି): ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍ ଓରଫ୍ ଫୈଜଲ୍ ଖାନଙ୍କ କୋଚିଂ ସେଣ୍ଟର ବାହାରେ ଗୁଳି ଫୁଟିବା ନେଇ ଅଭିଯୋଗ ହୋଇଛି। ରାଜଧାନୀ ପାଟନାସ୍ଥିତ ମୁସାଲ୍ଲାହ ହାଟ ନିକଟରେ ଥିବା ଏହି କୋଚିଂ ସେଣ୍ଟର ବାହାରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିବା ବେଳେ, ପୋଲିସ ପକ୍ଷରୁ ଏନେଇ କୌଣସି ବୟାନ ଦିଆଯାଇନାହି।

ଗତକାଲି (ମଙ୍ଗଳବାର) ରାତି ସମୟରେ ୮ରୁ ୧୦ ରାଉଣ୍ଡ ଗୁଳିର ଶବ୍ଦ ଶୁଣିଥିବା ନେଇ ଖାନ୍ ସାର୍ ନିଜେ ଅଭିଯୋଗ କରିଛନ୍ତି। ଗୁଳିକାଣ୍ଡ ପଛରେ କିଛି ପ୍ରତିଦ୍ବନ୍ଦ୍ବୀ କୋଚିଂ ସେଣ୍ଟରର ହାତ ଥାଇପାରେ ବୋଲି ସେ ଅନୁମାନ କରୁଛନ୍ତି।

ଖାନ୍ ସାରଙ୍କ କୋଚିଂ ସେଣ୍ଟର ନିକଟରେ କିଛି ଦୁର୍ବୃତ୍ତ ସୁରକ୍ଷା ଗାର୍ଡଙ୍କ ଉପରେ ଆକ୍ରମଣ କରିଛନ୍ତି, ଯାହାଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖାନ୍ ସାରଙ୍କ କହିବା ଅନୁଯାୟୀ, ନିକଟରେ ବିହାର ପୋଲିସ ଭର୍ତ୍ତି ପରୀକ୍ଷାରେ ତାଙ୍କ କୋଚିଂ ସେଣ୍ଟରରୁ ବହୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ, ଯାହାକୁ ପ୍ରତିଦ୍ବନ୍ଦ୍ବୀ କୋଚିଂ ସେଣ୍ଟରଗୁଡ଼ିକ ସହିପାରି ନଥିଲେ। ତାଙ୍କୁ କିଛି ଦିନ ଧରି ଅନେକ ଧମକ ମଧ୍ୟ ଆସୁଥିଲା। “ପାଖରେ ଏକ କୋଚିଂ ସେଣ୍ଟର ଅଛି। ବିଳମ୍ବିତ ରାତିରେ କିଛି ଲୋକ କୋଚିଂ ସେଣ୍ଟର ପରିସରରେ ପହଞ୍ଚି ୨ ଦିନ ମଧ୍ୟରେ ଏହାକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଯେତେବେଳେ ଗାର୍ଡ ପ୍ରତିବାଦ କଲେ, ତାଙ୍କୁ ଆକ୍ରମଣ କରାଯାଇଥିଲା,” ବୋଲି ଖାନ୍ ସାର୍ କହିଛନ୍ତି।

ସେ ପ୍ରଶାସନଠାରୁ ସୁରକ୍ଷା ଦାବି କରିଛନ୍ତି। “ସେମାନେ ଭାବୁଛନ୍ତି ଯେ ସେମାନେ ଆମକୁ ଦମନ କରିବେ। ଆକ୍ରମଣକାରୀମାନେ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭଙ୍ଗାରୁଜା କରିଥିଲେ ଏବଂ ଗୁଳି ଚଳାଇଥିଲେ। ମୁଁ ୧୦ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଶବ୍ଦ ଶୁଣିଛି। ସିସିଟିଭି ଫୁଟେଜ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଆମ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛନ୍ତି,” ଖାନ୍ ସାର୍ କହିଛନ୍ତି। “କମ୍ ଟଙ୍କାରେ ଶିକ୍ଷା ପ୍ରଦାନ କରାଯାଉଥିବାରୁ ଏହି କୋଚିଂ ସେଣ୍ଟରକୁ ବାରମ୍ବାର ଟାର୍ଗେଟ୍ କରାଯାଉଛି,” ବୋଲି ସେ ଆହୁରି କହିଛନ୍ତି।

SSP ପାଟନା କାର୍ତ୍ତିକେୟ କେ ଶର୍ମା କହିଛନ୍ତି ଯେ, ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ଏବଂ ନିକଟରେ ଥିବା ଲୋକଙ୍କୁ ପଚରାଉଚରା କରୁଛି। ଏହି ମାମଲାରେ ଜଡିତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ପାଟନା ପୋଲିସ ଦ୍ୱାରା ଜାରି ଏକ ସରକାରୀ ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, କିଛି ଅସାମାଜିକ ତତ୍ତ୍ଵ ପଥର ଫିଙ୍ଗିଛନ୍ତି, ଗଣ୍ଡଗୋଳ କରିଛନ୍ତି ଏବଂ ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି। “ବର୍ତ୍ତମାନ, ପୋଲିସ ସମ୍ପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏବଂ ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ କାମ କରୁଛି,” ବୋଲି ଏଥିରେ ଉଲ୍ଲେଖ କରାଯାଇଛି।