CulturalFeaturedLatestNews

ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ: ୪୨ ତୁମ୍ବ ନିର୍ମାଣ ସମ୍ପନ୍ନ

ପୁରୀ(ସଂକେତ ଟିଭି):ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଆଜି ରଥ ନିର୍ମାଣର ପଞ୍ଚମ ଦିନ ହୋଇଥିବା ବେଳେ, ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ତୁମ୍ବ ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ଖୁବଶୀଘ୍ର ଅଖ ନିର୍ମାଣ ପାଇଁ କାଠ ରଥଖଳାରେ ପହଞ୍ଚିବ ବୋଲି ମୁଖ୍ୟ ବିଶ୍ଵକର୍ମା ସୂଚନା ଦେଇଛନ୍ତି।

ସେପଟେ କଟକ ଖପୁରିଆ ସ୍ଥିତ କରତକଳରେ ରଥ ଚକ ନିର୍ମାଣ ପାଇଁ ପହି କଟା କାର୍ଯ୍ୟ ଜାରି ରହିଛି। ପ୍ରତିବର୍ଷ ତୁମ୍ଭ ନିର୍ମାଣ ପାଇଁ ୨୨ଟି କାଠର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଚଳିତ ବର୍ଷ ମାତ୍ର ୧୫ଟି କାଠରେ ସମସ୍ତ ଆବଶ୍ୟକୀୟ ତୁମ୍ଭ ନିର୍ମାଣ କରାଯାଇଛି।

ତୁମ୍ବରେ ମହାରଣାମାନେ ସୂତା ଦାଗ ଦେଇସାରିଛନ୍ତି। ଏହାପରେ ତୁମ୍ବରେ ବନ୍ଧ ଅନୁକୂଳ କରାଯିବ।